Radhika Adhika Premare Kahi

ରାଧିକା ଅଧିକା ପ୍ରେମରେ କହି
(Bahadur Prataparudra Singhdeo)
(ବାହାଦୁର ପ୍ରତାପରୁଦ୍ର ସିଂହଦେଓ)

(ରସକୁଲ୍ୟା ବାଣୀ)
ରାଧିକା ଅଧିକା ପ୍ରେମରେ କହି
ସଂସାରର ସାର ରୂପ ଏହି
ସର୍ବ ଉପମା ଛାଣି ଛାଣି ଆଣି ବିହି
ଏ ଲାବଣ୍ୟପୁର ନିର୍ମ୍ମାଣି ଯେ
କରିଛି ନୟନ କାରା ଯେ
ଚିତ୍ରବ୍ୟାଜ ଚିତ୍ର ପ୍ରକାଶିତ ନେତ୍ର
ସୁଖ ପାଇ ପଡ଼ି ଧରା ଗୋ । ୧ ।

ରୂପାସ୍ତ୍ରପଣ ମାର ଠାରେ ଥିଲା
ବିହି ତହିଁରୁ ସିଦ୍ଧି ନ ପାଇଲା
ଏବେ ଏହାକୁ ତା ଦେଇଛି ଦେଖ
ଭ୍ରୂଲତା ଧନୁ ନେତ୍ର ଶିଳୀମୁଖ ସେ
ନାସିକା ତୂଣୀର ସତ ଯେ
ଚନ୍ଦ୍ରହାସ ଧରି ଦିଶୁଛି ମାଧୁରୀ
ନିଶ୍ଚୟ ନେତ୍ରାନ୍ତ କୁନ୍ତ ଯେ । ୨ ।

ବାଦେ ଜିଣି ଏ ଅଶ୍ୱିନୀ କୁମାର
ବଳେ ଆଣିଛି ସର୍ବାଙ୍ଗ ସୁନ୍ଦର
ଭୃଙ୍ଗ ଘନସାର ନିଶ୍ଚୟ ଏହି
ଚପଳାକ୍ଷ କୃଷ୍ଣ ପୁଷ୍କର ସହି ଗୋ
ବିଶ୍ୱଧାତ୍ରୀ ଶ୍ରୀୟେ ଦେଖ ଗୋ
ଦେହ ଦାହ ରୋଗ ନାଶ କରି ବେଗ
ସ୍ନେହୀ ଜନେ ଦେବ ସୁଖ ଗୋ । ୩ ।

ପୂର୍ଣ୍ଣମା ଚନ୍ଦ୍ର ଶିରୀ ବଳେ ହରି
ସକଳ ଲକ୍ଷଣେ ଦିଶେ ମାଧୁରୀ
ଶ୍ୟାମା ସୁଖ ମଣ୍ଡେ ଉଦୟ ଯାର
ହରିତ ଅମ୍ବରେ ଦିଶେ ରୁଚିର ଗୋ
ଚକ୍ଷୁ ଚକୋରକୁ ତୋଷି ଗୋ
କର ସ୍ପରଶରେ ଏ ଅନାୟାସରେ
ତାପକୁ ଦେବ ବିନାଶି ଗୋ । ୪ ।