(ଦୀନବନ୍ଧୁରାଜ— ରାଗ କାନଡ଼ଗୌଡ଼ା, ତାଳ ତ୍ରିପଟା)
ଆହା କି ହେଲା ଦାରୁଣ ବିହି ବିଚ୍ଛେଦ ବିହିଲାରେ । ଘୋଷା ।
ବିଦେଶେ ଯାଉଛି ଧନ ବୋଲନ୍ତେ ମୋର ଜୀବନ
ସେ କାଳେ କିମ୍ପା ବାହାର ନୋହିଲାରେ । ୧ ।
ପ୍ରୀତି କରି କିମ୍ପା କଲା ତହିଁ ବିଚ୍ଛେଦ ରଖିଲା
ବିଚ୍ଛେଦରେ ପୁଣି ପ୍ରାଣ ଦହିଲାରେ । ୨ ।
ନାହିଁ ସଖୀ ପରିତ୍ରାଣ ଜନ୍ମ କାଳୁ ଏ ପ୍ରାଣ
ୟେବେ ବେନି ଭାଗ ହୋଇ ରହିଲାରେ । ୩ ।
ପ୍ରୀତି ନୋହିଥିବ ସୁଖ ହୋଇ ଭାଜିଯିବା ଦୁଃଖ
ଏଣୁ ସେ ବିହି ମୂରୁଖ ବିହିଲାରେ । ୪ ।
ସେ ବାଣୀ ଶୁଣି ତ୍ୱରିତ ହେଲା ଦୁଃଖ ବଜ୍ରଘାତ
ମୋ ମନ ଅଭାଗ୍ୟ ମୋତେ ମୋହିଲାରେ । ୫ ।
ଦୀନବନ୍ଧୁରାଜ କହି ପ୍ରବୋଧନ୍ତେ ପ୍ରାଣସହୀ
ମାନସ ତାହାର ସ୍ଥିର ନୋହିଲାରେ । ୬ ।