(ଦୀନବନ୍ଧୁରାଜ— ରାଗ କେଦାର, ତାଳ ପହପଟ)
ସଖୀ ଏ ପୀରତି ଦହୁଅଛି ଛାତି
ଏଥକୁ ଉପାୟ କହ କିନା
ଛାଡ଼ି ସବୁ ଲାଜ କହୁଅଛି ନିଜ
ପରାଣୁ ଅଧିକ ତୁ ସିନା । ଘୋଷା ।
ପ୍ରୀତି ନ କରିଥିବାର ବଡ଼ ସୁଖ
ଏବେ ତ ବିଧାତା କଲାକ ବିମୁଖ ଗୋ
ପ୍ରୀତି ଅନଳ ମୋ ହୃଦେ ବଡ଼ ଦୁଃଖ
ଦେଇ କରୁଅଛି ଅଚେତନା । ୧ ।
ପ୍ରୀତି ନୁହଁଇ ଏ ମଦନ ମାଦକ
ହରଇ ଧୈର୍ଯ୍ୟ ବିବେକ ଗୋ
ଚିହ୍ନାଇ ନ ଦିଏ ପରପରା ଲୋକ
ଅଧିକେ କରଇ ପରାଧୀନା । ୨ ।
ଜଗତେ ସଲିଳ ଲିଭାଏ ଅନଳ
କି ବିପରୀତ ହେଲା ମୋ କପାଳରେ
ସିଞ୍ଚିଲେ ନିରନ୍ତରେ ନେତ୍ରୁ ନୀରେ
ଜଳି ଅଧିକେ କରଇ କିନା । ୩ ।
ଜାଣିଲି ଅତି ବିଷମ ପ୍ରୀତି ରସ
କାହିଁ ମୁଁ କାହିଁ ସେ ଜୁଳକା ଅବତଂସ ସେ
ଏ ଦେହ ତୋ ତହିଁ ଅଟେ ପରବଶ
ପୋଡ଼ୁ ହେବାର ଏ କୁଳାଙ୍ଗନା । ୪ ।
କହେ ଦୀନବନ୍ଧୁରାଜ ଶୁଣ ଗିର
ସଖୀ ତୁ କ୍ରୋଧ ନ କର ଗୋ
ତୁମ୍ଭର ପରାଏ ସେ ନବନାଗର
ଦୁଃଖୀ ତୁମ୍ଭର ଦର୍ଶନ ବିନା । ୫ ।