Sakhi Dekhili Aja Mun Braja Patinki

ସଖୀ ଦେଖିଲି ଆଜ ମୁଁ ବ୍ରଜପତିଙ୍କି
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

ସଖୀ ଦେଖିଲି ଆଜ ମୁଁ ବ୍ରଜପତିଙ୍କି ଗୋ
ମନ ଅଭିରାମ ନବ ଚୂତ କାନ୍ତିକି ଗୋ । ଘୋଷା ।

ସଜଳ ଜଳଦ ନୀଳ ମଞ୍ଜୁଳ ତମାଳ ଦଳ
ଦଳିତ କଜ୍ଜ୍ୱଳ ଶ୍ୟାମ ଦ୍ୟୁତିକି ଗୋ । ୧ ।

କଟୀ ତଟେ ପୀତପଟ ଘନେ ଚପଳା ଚହଟ
ନଟବର ମନୋହର ମୂର୍ତ୍ତିକି ଗୋ । ୨ ।

ଶିଖୀ ଶିଖଣ୍ଡକ ଚୂଳ ସୁଷମ କୁସୁମ ମାଳ
ଲୁଳୁଥିଲା କଣ୍ଠୁ ପାଦ କତିକି ଗୋ । ୩ ।

ମୃଦୁ ମନ୍ଦ ମନ୍ଦ ହାସ ସୁରଙ୍ଗ ଓଷ୍ଠେ ପ୍ରକାଶ
ହୋଇ ନାଶେ ଅନାୟାସେ ଧୃତିକି ଗୋ । ୪ ।

ତ୍ରିଭଙ୍ଗୀ ଛନ୍ଦରେ ଉଭା ଶ୍ରୀକରେ ମୁରଲୀ ଶୋଭା
ଯହିଁ ବାଇ କଲେ କୁଳବତୀଙ୍କି ଗୋ । ୫ ।

ଦୀନ ବ୍ରଜନାଥ ରାତି ଦିନ ଏ କେଶୀ ଅରାତି
ରୂପ ଭାବୁଅଛି ଭବ ଭୀତିକି ଗୋ । ୬ ।