Ali Banamali Guna Japamali

ଆଳି ବନମାଳୀ ଗୁଣ ଜପାମାଳି
(Brajanatha Badajena— Raga Dhanasri)
(ବ୍ରଜନାଥ ବଡ଼ଜେନା— ରାଗ ଧନାଶ୍ରୀ)

ଆଳି ବନମାଳୀ ଗୁଣ ଜପାମାଳି ହୋଇଲା
ଅଳି କେତକୀ ପରା ଯା ମୋତେ ସେ ନ ଚାହିଁଲା ରେ । ଘୋଷା ।

ଭାଳିଲେ କି ହେବ ଯେ ଯା ଅର୍ଜିଲା ତା ପାଇଲା
ଭାଳିଆଇ ତୁ ଯା କଲୁ ସେ ତ ମନେ ରହିଲା । ୧ ।

ଓଳିକି ଓଳି ଲାଗିଲୁ ତୋତେ ଲଙ୍ଘି ନୋହିଲା
ଓଳି ପଦାରେ ମନ୍ଦିରେ ତା ଗୁଣ ତ ପଇଲା । ୨ ।

ଗାଳି ଦେଲି ତାକୁ ଯେବେ ମୋ ପାଶକୁ ଅଇଲା
ଟାଳି ଦେଲାକୁ ତୁ ସିନା ବହପ ସେ ପାଇଲା । ୩ ।

ମିଳିଲେନି କେଳିକି ତା ଭଳି ଯେତେ ଛଇଳା
ତଳିପା ତଳେ ତ ଗୋପ ଭୂପପଣ ଥୋଇଲା । ୪ ।

କୁଳୀନ ଯୁବତୀ ମୋରେ ମଳି କାହୁଁ ଅଇଲା
ତାଳି ଧରିବାକୁ ଏବେ ନଳୀନଜ ବହିଲା । ୫ ।

କାଳୀ ଦଳି ନିଆଁ ଗିଳି ତୋଳି ଗିରି ଧଇଲା
ବଳିଗଲା ସେ ଦିନୁଟି ବ୍ରଜନାଥ ବୋଇଲା । ୬ ।