Padili Ki Paramade Nanda Suta

ପଡ଼ିଲି କି ପରମାଦେ ନନ୍ଦସୁତ
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

ପଡ଼ିଲି କି ପରମାଦେ
ନନ୍ଦସୁତ ମୋତେ ଲାଗିଲା ବାଦେ
ରଜନୀ ଦିବସ ସଜନୀ ତା ବଶ
ହୋଇ ବାଇ ହେଲି ମୁରଲୀ ନାଦେ । ଘୋଷା ।

ଯେତେବେଳେ ମୁହିଁ ପାଣି ଆଣିଯାଇ
ଜଗି ବସିଥାଇ ବିଜନ ପଦେ
ଛଟକ ମଟକେ ସରାଗେ ମୋ ଆଗେ
ଅଟକେ କହିବା ଯାଏ ମୁଁ ପଦେ । ୧ ।

ମନ୍ଦ ନଣନ୍ଦ ଯା ବାଦ ଉପୁଯାଏ
ନନ୍ଦନନ୍ଦନର ପ୍ରୀତି ଦୁର୍ବାଦେ
ଦୂରେ ତାକୁ ଦେଖି ଦରେ ବୁଜି ଆଖି
ଘରେ ପଶିଯାଇ ମନ ବିଷାଦେ । ୨ ।

ଅତି ସରାଗରେ ଅନାଇଁ ଯାଏ ଯା
କହ୍ନାଇ ଅଧର ଭିଡ଼ିଣ ରଦେ
ଧରତୀରେ ତାର ବରତି ଯିବ କେ
ସୁରତି ଇଚ୍ଛିବ ଜରତୀ ହୃଦେ । ୩ ।

ଦିଶେ ଦିଶେ ସହୀ ଦିଶେ ମୋତେ ସେହି
ତା ବେଶ ସପନେ ଦେଖଇ ନିଦେ
ବ୍ରଜନାଥ ବୋଲେ ଲାଜ ଦୂର କଲେ
ଆଜ ବୃନ୍ଦାବନେ ମାତିବୁ ମୋଦେ । ୪ ।