(ବ୍ରଜନାଥ ବଡ଼ଜେନା— ରାଗ ସିନ୍ଧୁଡ଼ା)
ହେ ପଥିକ କାହିଁକି ଯାଉଛ କହ
ଏ ଘନସ୍ତନୀ ତ ବରଷି ନିକି
ଛାଡ଼ିଯିବ କହ କହ । ଘୋଷା ।
ଘଡ଼ଘଡ଼ି ରଡ଼ି ଶୁଣି ତରତର
ହୋଉଛି ଏ ମୋର ମତି
ଅତନୁ ଅନ୍ଧାର ଘୋଟୁଛି ଏଥିରେ
ହେବ ଏ କାନ୍ତାର ଗତି ହେ । ୧ ।
ରହ ପୁର ମୋର ପରବାସୀ ବର
ଆସୁ ନାହିଁ କି ବିଚାରେ
ହରବର ଯୋଗ ଅଛି ତୋତେ ଭୋଗ
ଯାଅନା ଚଳି ସତ୍ୱରେ । ୨ ।
ସ୍ଫୁଟ ସୁମନେ ମଧୁପେ ବସିଛନ୍ତି
ଦେଖ ବାସ ଅଛି ତହିଁ
ହରଷେ ମୋହନେ ଶୋଇ ନ ପାରିବି
ଦେବି ପରଭାବ ନାହିଁ ହେ । ୩ ।
ସୁତୀକ୍ଷ କଟାକ୍ଷ କାଣ୍ଡ ଲକ୍ଷ ଲକ୍ଷ
ଲାଖ ତାର ବକ୍ଷ କଲା
କାଶହାସ ପରକାଶ ଆଶା ତାର
ଆଶା ଆସ ସୂଚିଗଲା । ୪ ।
ରସିକା ସିହାଣୀ ଛଳ ଶ୍ଳେଷ ବାଣୀ
ଶୁଣି ସେ ନାଗରମଣି
ଦୁହେଁ ରତିରଙ୍ଗ କଲେ ମାନ ଭଙ୍ଗ
କବି ବ୍ରଜନାଥ ଭଣି । ୫ ।