E Ki Riti Tora Kuakuta

ଏ କି ରୀତି ତୋର କୁଆକୁଟା
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

ଏ କି ରୀତି ତୋର
କୁଆକୁଟା କଲୁ ଅତୀତ ଲୋ ମା । ଘୋଷା ।

ଘର ବର ଦୁଇ ଦୂର କରିଦେଇ
ତୋ ବୋଲେ ଅଇଲି ଏଥି ତ
ମରମର ତୁହି ତରତର ହୋଇ
ଆଣି କଲୁ ଏତେ ବ୍ୟଥିତ ଲୋ ମା । ୧ ।

ଦେଲୁ ଏତେ ଦଣ୍ଡ ଭାଲୁ ବାଘ ଗଣ୍ଡ
ଚାଲୁଥିବେ ଗଜ ଯୂଥ ତ
ମୁଖରେ ତାଙ୍କର ମୁଁ ଖରେ ପଡ଼ିଲେ
ସୁଖୀ ହୁଅନ୍ତା ଚିତ୍ତ ତ ଲୋ ମା । ୨ ।

ଏ ଗୋପ ଯୁବତୀ ସତୀକି ଅସତୀ
ବାଦ ହୋଇଥାନ୍ତି ନିତି ତ
ଫୁଟିଲେ ଏ ମଳ ଫାଟିଲା କପାଳ
ହେବ ନାଗ ମଥିତ ଲୋ ମା । ୩ ।

କହୁଥିଲୁ ତୁ ସେ ସେହି ଥିବ କୁଞ୍ଜେ
ଚାହିଁ ତୋ ଗମନ ପଥ ତ
ଉଠ ଉଠ ମଠ ନ କର ଏ ପାଠ
ଛାଡ଼ କହେ ବ୍ରଜନାଥ ତ ଲୋ ମା । ୪ ।