(ବ୍ରଜନାଥ ବଡ଼ଜେନା)
ମୋତିଦନ୍ତୀ ଦନ୍ତୀବର ଗତି ତ ସେ
କାଲି ରାତି ହେଲା ବାଈ
ଶ୍ୟାମଳ କମଳଦଳ ନେତ୍ରୀ କାମ
ଅମଳ ବା ଥିଲା ଖାଇ । ଘୋଷା ।
ଲାଜେ ପାଶେ ସେ ଯେ ନ ବସଇ ଶେଯେ
ପଲଙ୍କେ ଅଙ୍କେ ନ ରହେ
କୁଚ ଯୋଡ଼ି ଯୋଡ଼ି ନିବିଡ଼ରେ ଭିଡ଼ି
ଜଡ଼ିଗଲା ମୋର ଦେହେ । ୧ ।
ମୋ ବନ୍ଧୁ ପରାଣଧନ କହି ରାଣ
ଦେଲେ ଅବା ଚୁମ୍ବ ଦିଏ
ଚାରୁ ସରୁଚୁମ୍ବ ଶତ ଶତ ବିମ୍ବ
ଓଷ୍ଠୀ ଦେଲା କେତେ ସ୍ନେହେ । ୨ ।
ଚାଟୁ କରି ଦିନଯାକ ଅବା ପୀନ
ଜଙ୍ଘରୁ ଖସାଇ ବାସ
ଅଚୀର ସର୍ବାଙ୍ଗେ ଚିରକାଳ ରଙ୍ଗେ
ବିହରିଲା ଏ ମୋ ଦୃଶ । ୩ ।
ଲାଗିଲେ ବିନତି କରି ଯେ ସୁରତି
ସମ୍ମତି କରଇ ନାହିଁ
ବିପରୀତେ ମାତି ଝୁଲି ଝୁଲି ଛାତି
ପରେ ଶୁଏ ଶ୍ରମ ପାଇ । ୪ ।
ଏ ଅମଳ ଖାଇ ପ୍ରତି ରାତି ବାଈ
ହୋଇଥାନ୍ତା ବାଳା ଯେବେ
ବ୍ରଜନାଥ ଭାଷେ ମନୋଜକୁ ଲେଶେ
ଭୟ ହୁଅନ୍ତାନି ତେବେ । ୫ ।