Keli Kusala Balamani

କେଳି କୁଶଳା ବାଳାମଣି
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

କେଳି କୁଶଳା ବାଳାମଣି । ଘୋଷା ।

ପୀରତି ଘେନା ସୁରତି ଆବେଶେ
ଏ ଗତ ରାତି ମିଳିଲା ମୋ ପାଶେ
ଅଙ୍ଗରାଜି ସାଜି ସୁନ୍ଦର ବେଶେ
ବିମ୍ବ ଅଧର ମଣ୍ଡି ଚାରୁ ହାସେ
ମାନସ, ବଶ କଲା ଆହା ସେ । ୧ ।

ଚାହିଁ ମୋହିନୀକି ହୋଇ ଅଦମ୍ଭ
ହୃଦରେ ମୋଦେ ଯୋଡ଼ି କୁଚକୁମ୍ଭ
ବେଗେ ଆରମ୍ଭ କଲି ପରିରମ୍ଭ
ଜାତ ହେଲା ଅଙ୍ଗୁ ସାତ୍ତ୍ୱିକ ଦମ୍ଭ
ପ୍ରକାଶେ, କମ୍ପ ପୁଲକ ସ୍ତମ୍ଭ । ୨ ।

ନୀରଦ ନୟନା ହୋଇ ଉଚ୍ଛନ୍ନ
ତନୁକୁ ଚମକାଇ ଘନଘନ
ମନ ଉଲ୍ଲାସରେ ଦେଇ ଚୁମନ
ଠେସଇ ହୃଦରେ କଠିନ ସ୍ତନ । ୩ ।

ଚାଖିଲି ତାର ଅଧର ପୀୟୂଷ
ସୁଖୀ ହୋଇଲା କେଡ଼େ ମୋ ମାନସ
ଆଖିର ଦୂର ହୋଇଲା ନିମେଷ
ଦେଖି ତାର ଚିତ ମୋହନ ବେଶ । ୪ ।

ଯାହା କଲା ପୁଣି ବିପରୀତରେ
ଆହା ଅତ ଜାଣେ ଚିତ୍ତଜ ଚିତ୍ତରେ
କିଙ୍କିଣୀ କିଣି ଊହୁଁ ନା ଗୀତରେ
ଚାଟୁ ବାଣୀକି କହିଲା ମଧୁରେ
କିଣିଲା, ମୋତେ ରତି ରତ୍ନରେ । ୫ ।

ଭଣେ ବ୍ରଜନାଥ ମୋ ପୂର୍ବ ପୁଣ୍ୟ
ଥିବାରୁ ହୋଇ ସେ କୁଳ (କୋଳ‌) ମଣ୍ଡନ
ରସିକାମଣି ଅନୁଗ୍ରହ ସ୍ଥାନ
ନ ଦେଖିବି କି ତା ମୁଖ ମଳିନ
ରଖିବ, ମୋରେ ଏ ଅବଧାନ । ୬ ।