(ବ୍ରଜନାଥ ବଡ଼ଜେନା)
ଆହେ ଜଗନ୍ନାଥ ଦୁଃଖୀର ସଙ୍ଗାତ
ନ ରଖିଲେ ଭାସିଯାଉଛି
ମତ୍ତ ଗରବରେ ପ୍ରଭୁଙ୍କୁ ନ ଚିହ୍ନି
ତହିଁ ପ୍ରତିଫଳ ପାଉଛି । ୧ ।
ପୀନ ବାହୁଯୁଗ ଟେକି ରଖିଅଛ
ଦୀନକୁ ରଖିବା ପାଇଁ
ଜଗନ୍ନାଥ ତୁମ୍ଭ ଜଗତ ଭିତରେ
ମୋତେ କି ଗଣିଲ ନାହିଁ । ୨ ।
କାଳକ ଯାକ ତ ବାଳକ ବୁଦ୍ଧି ମୋ
ନ ଗଲା କେହି ତରିଛି
କାଳ ନାଶିବ ନାମକୁ ଆଶ୍ରେ କରି
ଅକାରଣରେ ମରୁଛି । ୩ ।
ନାହିଁ ତାତ ମାତ ସ୍ୱାମୀ ଇଷ୍ଟ ମିତ୍ର
ଭାଇ ବନ୍ଧୁ ଥାଇ ନାହିଁ
ଏପରି ଦରିଦ୍ର ହେଲେହେଁ ସୁରେନ୍ଦ୍ର
ଆହା ବୋଲନ୍ତାହିଁ ନାହିଁ । ୪ ।
ପତିତପାବନ ବାନା ଉଡ଼ାଉଛ
ମୋ ଠାରେ ନ ଦିଅ ଦୃଷ୍ଟି
ପର ଅପର ବିଚାର ତୁମ୍ଭେ କଲେ
କିପରି ରହିବ ସୃଷ୍ଟି । ୫ ।
ଦୀନ ଜନଙ୍କର ବନ୍ଧୁ ହୋଇ ଦୀନ
-ବନ୍ଧୁ ନାମକୁ ବହିଲ
ମୋହଠାରୁ ଦୀନଶ୍ରେଷ୍ଠ କେହୁ ଅଛି
କାହାକୁ ଆଉ ରଖିଲ । ୬ ।
ନାହିଁ ଯା ବିନା ଆନ ଗତି ସେ ତାକୁ
ସବୁ ତ ଗୋଚର କଲେ
ନଗ ଯେହ୍ନେ ଫଳି ଫୁଟି ଶୀର୍ଣ୍ଣ ହୋଏ
କେବଳ ଧରା ଉପରେ । ୭ ।
କି ରୂପ ତୁମ୍ଭର ଭଗତ ହୋଇଛୁ
କି ରୂପେ କରୁଛ ଦୟା
ଏହା ନ ଜାଣିଲି ମୁଖେ ତ ହୋଇଲି
କେବଳ ଧରିଣ କାୟା । ୮ ।
ଘରେ ବସିଥାଇ ମୁଖେ ଦେଲେ ଖାଇ
ଚତୁର୍ମାସ୍ୟା ବକ ପରି
ଆଜଗର ଚିନ୍ତୁ ଅଜାଣେ ଧାତା ବା
ଗଢ଼ିଲା ମନୁଷ୍ୟ କରି । ୯ ।
ପୂରି ରହିଅଛି କରୁଣା ସମୁଦ୍ର
ସରିଯିବ ତହୁଁ କେତେ
କୁଶାଗ୍ର ବିନ୍ଦୁରେ ସୁଖୀ ହୋଇବି ମୁଁ
କୋଟି ଜନ୍ମ ପରିଯନ୍ତେ । ୧୦ ।
ଶିଷ୍ଟକରଣ କୁଳରେ ଜାତ ହୋଇ
ଇଷ୍ଟ ଭଜି ନ ପାରିଲି
ଅରକ୍ଷ ରକ୍ଷଣ ଜଗତ କାରଣ
ଚରଣେ ଶରଣ ଗଲି । ୧୧ ।
ରଖ ବା ନ ରଖ ମୋର ନାହିଁ ସଖ୍ୟ
ବିଧି ମତେ ସେବିବାର
ବାରବାର କରି ଜଣାଉଛି ଦୀନ
ବରଜନାଥ କିଙ୍କର । ୧୨ ।