Nirasa Ritiki Chhada Go Janani

ନିରାଶ ରୀତିକି ଛାଡ଼ ଗୋ ଜନନୀ
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

ନିରାଶ ରୀତିକି ଛାଡ଼ ଗୋ ଜନନୀ
ନୀଳାଦ୍ରି କ୍ଷେତ୍ର ବଦନୀ ମୋହ ଘେନି
ନିନ୍ଦା ପାଇବୁଟି ବଡ଼ ଗୋ । ଘୋଷା ।

ପକାଇ ଦେଲେ ମୁଁ ପେଲି ପଶୁଥିବି
ଧରି ଚରଣ ପାହୁଡ଼
ନାହିଁ ମୋର ଗତି ତ୍ରାହି ଭଗବତୀ
ତୁହି ଏଥର ନ ହୁଡ଼ ଗୋ । ୧ ।

ଖୋଜି ଖୋଜି କେତେ ଦେଖିଲି ଜଗତେ
ଦୟାକୁ ତୋତେ ମୁଁ ବଡ଼
ନ ରଖିବୁ ଯେବେ ଅରକ୍ଷିତ ତେବେ
ଭାସିଲା ଏ କଥା ଦୃଢ଼ ଗୋ । ୨ ।

ସିଂହଦୁଆର ଏ ପାଖେ ପକାଇବୁ
କରିଣ କାଙ୍ଗାଳ ଧେଡ଼ି
ତୋ ଭାବେ ମଜ୍ଜନ ହେବ କି ଜୀବନ
ଅନ୍ନ ବିନା ଦିଶୁ ବାଡ଼ ଗୋ । ୩ ।

ସେଠାରେ ପଡ଼ିବା ଯାଏ ଚଳୁଥାଉ
ପଛେ ଭାଜିଯାଉ ଗୋଡ଼
କବଳେ କବଳେ କଇବଲ୍ୟ ଦେବୁ
କଟୀକି ଛିଡ଼ା କାପଡ଼ ଗୋ । ୪ ।

ଆନ ମନ ନ କରିଣ ତୋ ଧିଆନ
ଭାବେ ହୋଇଯିବ ଜଡ଼
ବ୍ରଜନାଥ ବୋଲେ ପତିତପାବନୀ
ନାମର ଏ କୃପା ବଡ଼ ଗୋ । ୫ ।