(ଗୋପାଳକୃଷ୍ଣ— ରାଗ କେଦାର, ତାଳ ତ୍ରିପଟା)
କି ପାଶୋରି ଦେଲି କାହିଁକିରେ ରହିଲି
ଶ୍ରୀ କିଶୋରୀ କୁଞ୍ଜବିହାରୀଙ୍କି
ପରମ ଧାମରେ ସମନ ଥିଲା ଯେ
ହେମ ମରକତ ମାଧୁରୀକି । ଘୋଷା ।
ରମା ସମାନ ସୁଷମା ବ୍ରଜ ରାମା
ଉତ୍ତମାଙ୍ଗ ମାଳା ବୃଷଭାନୁ ଜେମା
ଗୋଷ୍ଠଚନ୍ଦ୍ରମା ବାମା ନେତ୍ର ପ୍ରତିମା
କାମାଭିରାମ ବଂଶୀଧାରୀଙ୍କି । ୧ ।
ଦାରା ବୃତ୍ତ ଶିର ନୀଳ ଉପୁରାଣ
ତେଣେ ପ୍ରଚଳାକ ଚୂଳ ବିଭୂଷଣ
ତରଳତର ଈକ୍ଷଣ ବିଶେପଣ
ହା ହା ରୋମାଞ୍ଚ ତନୁ ଶିରୀକି । ୨ ।
ହା ରାସ ରସ ତାଣ୍ଡବ ସୁପଣ୍ଡିତା
ହା ସାତ୍ୱିକାବଳୀ ରତନ ମଣ୍ଡିତା
ହା ମାର୍ତ୍ତଣ୍ଡଜା ତୀରାଣ୍ୟାଖଣ୍ଡଳ
ଚାରୁ ନେତ୍ରାଞ୍ଚଳ ଚାତୁରୀକି । ୩ ।
ଅଧୋନ୍ନତ କୃତ ପୂର୍ଣ୍ଣ ଚନ୍ଦ୍ରାନନ
ଲାଜ ହର୍ଷ ହାସ ସୁନର୍ମ ବଚନ
ପରସ୍ପରେ ପ୍ରେମ ସୁଧାବ୍ଧି ମଜ୍ଜନ
ଜବାଧରୀ ଯୁବା ଜମ୍ଭାରିଙ୍କି । ୪ ।
ଦେଖି ଦୂରରୁ କେ ପାଛୋଟି ଯିବାର
ଥରି ଥରିକେ ପଛକୁ ଘୁଞ୍ଚିବାର
ପ୍ରିୟ ଲାଗି ହେଲେ ଅବଲମ୍ବିବାର
ହସିଲା ହୋଇ ସହଚରୀଙ୍କି । ୫ ।
କୁସୁମ ଶେଯରେ ବ୍ରଜ ଯୁବରାଜ
କୁଞ୍ଜଦ୍ୱାରକୁ ରାଧାଙ୍କୁ କରି ସଜ
ଉଭା କରିବାର ଆହା ଆଳୀ ବ୍ରଜ
ନ ତେଜି ଅଳିନ୍ଦ ସେ ପାରିକି । ୬ ।
ଗୋପାଳକୃଷ୍ଣ ମାନସେ ନିରନ୍ତର
ଚିନ୍ତି ବ୍ୟାକୁଳେ କପାଳେ ମାରି କର
ହା କି ଦୂର ଦୁଷ୍ଟ ହେଲି ଏତେ ଦୂର
ବୋଲି ନେତ୍ରୁ ତେଜଇ ବାରିକି । ୭ ।