Madanmohana Manmohini Re E ki Nutana Riti

ମଦନ୍ମୋହନ ମନ୍ମୋହିନୀ ରେ ଏ କି ନୂତନ ରୀତି । ଘୋଷା ।
(Gopalakrusna— Raga Jhinjoti, Tala Rupaka)
(ଗୋପାଳକୃଷ୍ଣ— ରାଗ ଝିଞ୍ଜୋଟି, ତାଳ ରୂପକ)

ମଦନ୍ମୋହନ ମନ୍ମୋହିନୀ ରେ ଏ କି ନୂତନ ରୀତି । ଘୋଷା ।

ସାରି ଦେଶ ଅଭିସାର କଲା ବେଳକୁ ଅସାର
ବୁହାଇ ନେତ୍ର ଯୁଗଳରୁ ବସିଲୁ ଶ୍ରୀମୁଖ ପୋତି । ୧ ।

ଏହି ପରି କରଭୋରୁ ଆସୁଛି ତ ମୁଁ ଛାମୁରୁ
ଘେନ ଦେଇଛନ୍ତି ବଂଶୀକି କରିବାକୁ ତୁ ପ୍ରତୀତି । ୨ ।

କାନନେ ପଶୁ ପକ୍ଷୀଙ୍କି ପ୍ରତି ବିଟପୀ ବଲ୍ଲୀକି
ଜନକଜା ଭିନ୍ନ ଶ୍ରୀରାମ ପରି ପଚାରୁ ଅଛନ୍ତି । ୩ ।

ଭାଷନ୍ତି ଶ୍ରୀମତୀ ଧୀରେ ଚିତ୍ରପଟ ଦର୍ପଣରେ
ଶ୍ୟାମ ବାମେ ମୋ ଛାଇକି ମୁଁ ଚାହୁଁ ଭ୍ରମ ହେଲା ମତି । ୪ ।

ଗୋପାଳକୃଷ୍ଣ ସରଣୀ ମଣାଇ ନେତ୍ର ତରଣୀ
ତନୟା ତଟେ ଭେଟିଲେ ସେ ପ୍ରିୟକୁ ଅଧପଦ୍ଧତି । ୫ ।