Deli Sahi Kulaku Teki Jalanjali

ଦେଲି ସହୀ କୁଳକୁ ଟେକି ଜଳାଞ୍ଜଳି
(Gopalakrusna— Raga Chakrakeli, Tala Ekatali)
(ଗୋପାଳକୃଷ୍ଣ— ରାଗ ଚକ୍ରକେଳି, ତାଳ ଏକତାଳି)

ଦେଲି ସହୀ କୁଳକୁ ଟେକି ଜଳାଞ୍ଜଳି
କଲି ଶ୍ୟାମ ପ୍ରୀତିକି ଜୀବନ ସଙ୍ଖାଳି । ଘୋଷା ।

କରିଥିଲି ମୁଁ ଯେତେକ ବାର ବ୍ରତାବଳୀ
ହେଲାନି ତା ଯାକ ପାଦ ତଳେ ନିଉଛାଳି । ୧ ।

କୋଟି ଜନ୍ମାନ୍ତର ପୁଣ୍ୟ ଫଳ ଗଲା ମିଳି
ମୁଁ ଯୋଗିନୀ ଜାଣ ଆଳୀ ସେ ମୋହର ଥାଳି । ୨ ।

ମୋ ହୃଦର ନବ ମୃଗମଦ ପତ୍ରାବଳୀ
ମତ୍ତ ମଧୁକର ସେ ମୁଁ କାନନ ନିଆଳୀ । ୩ ।

ସୁଗୁଣ ସୁନ୍ଦରପଣ ଯାକ ଭାଳି ଭାଳି
ନାମ ଜପୁଥିବି ଏକା ଧରି ଜପାମାଳି । ୪ ।

ଅଖିଳ ସୌଭାଗ୍ୟବତୀ ମଉଳିର ମାଳି
ତୁନି ହୁଅ ବୋଲନ୍ତି ଶ୍ରୀ ଲଳିତା ଏ ପାଳି । ୫ ।

ଶୁଭୁଛି କାନନୁ ବାହୁଡ଼ା ବଂଶୀ କାକଳୀ
ବୋଲେ ଗୋପାଳକୃଷ୍ଣ ଚାମର ଢାଳି ଢାଳି । ୬ ।