Ede Bhagya Mora Heba Ki

ଏଡ଼େ ଭାଗ୍ୟ ମୋର ହେବକି
(Gopalakrusna— Raga Kalyana, Tala Rupaka)
(ଗୋପାଳକୃଷ୍ଣ— ରାଗ କଲ୍ୟାଣ, ତାଳ ରୂପକ)

ଏଡ଼େ ଭାଗ୍ୟ ମୋର ହେବକି
ହେବି ବୃନ୍ଦାବନେଶ୍ୱରୀ ସେବକୀ
ଶ୍ରୀ ଗୁରୁଦତ୍ତ ବୀଜମନ୍ତ୍ର କଳପ
ବଲ୍ଲୀରେ ପ୍ରେମ ଫଳ ଫଳିବ କି । ଘୋଷା ।

ଶ୍ରୀ ସ୍ୱାମିନୀଙ୍କର ଯାବତ
ଅଷ୍ଟକାଳ ସେବା ସନ୍ତତ
ଶ୍ରୀ ରୂପମଞ୍ଜରୀ ଆଜ୍ଞା ଶିରେ ଧରି
କରିବି ମନୋରଥ ପୂରିବ କି । ୧ ।

ବ୍ରଜରାଜ କୁଳ ଚନ୍ଦ୍ରମା
ଦୋଷ କରିବା ପାଇଁ କ୍ଷମା
ଲଳିତାଙ୍କ ପଦାବ୍ଜେ ପଡ଼ି ଜଣାଇବା
ଶୁଭ ଦଶା ସମ୍ଭବିବ କି । ୨ ।

ଗୋଷ୍ଠେଶ୍ୱରୀ କୋଳରେ ମରି
ବଧୂ ସୁଖେ ଲାଳନା କରି
ସ୍ନେହେ ଅଶ୍ରୁ ପୋଛୁ ସ୍ୱେଶ୍ୱରୀଙ୍କ ଲଜ୍ଜା
ନମ୍ରମୁଖ ବିହି ଦେଖାଇବ କି । ୩ ।

ରାସ ରସାମୃତାବ୍ଧି ବିଧୁ
ଅଙ୍କରେ ଜଟିଳାଙ୍କ ବଧୂ
ବିଜେ କରିବାର ଦେଖି ମୋ ଆଖିର
ସୁଖ ଅକୂପାର ଉଚ୍ଛୁଳିବ କି । ୪ ।

ହୃଦେ ଧରି ସେ ଦୁଇ ରୂପ
ଶ୍ରୀ ମଞ୍ଜରୀ ସଖୀ କଳାପ
ବୋଲେ ଗୋପାଳକୃଷ୍ଣ ମୁଖେ ଶ୍ରୀ ରାଧାକୃଷ୍ଣ
ବୋଲି ଜୀବ ବରଜିବ କି । ୫ ।