(ଗୋପାଳକୃଷ୍ଣ— ରାଗ ବିଲାହାରୀ, ତାଳ ତ୍ରିପଟା)
ଜୟ ରାଧା କୃଷ୍ଣ ବୋଲି ଜୟ । ଘୋଷା ।
ତୀର୍ଥ ବ୍ରତ ଭକ୍ତିକ୍ଷୋଦ ନ କରି ହେଲୁ ଉନ୍ମାଦ
ନ କହି ଆଉ ପ୍ରମାଦ ଏଣିକି ହୋଇ ନିର୍ବେଦ । ୧ ।
ନିଭୃତ ନିକୁଞ୍ଜ ଶେଯେ ବିଜେ କରିଛନ୍ତି ସେ ଯେ
ପାଶରେ ଆଳୀ ସମାଜେ ମିଳିବୁ ଶ୍ରୀମୁହେ ପଦାମ୍ବୁଜେ । ୨ ।
ଆହା ସେ କି ଚମତ୍କାର ପ୍ରହେଳୀ ପ୍ରସନ୍ନୋତ୍ତର
କୁହାକୁହି ହୋଇବାର ହସି ହସି ଧୀର ଧୀର । ୩ ।
ରାସାବସାନେ କିଶୋରୀ ପ୍ରିୟ ହୃଦେ ଅପସରି
ଉଭା ହେବାର ମାଧୁରୀ ରୂପ ସୁମରି ସୁମରି । ୪ ।
ବେନି ପାଖରେ ଚାମର ବ୍ୟଜନ ଧରି ସତ୍ୱର
ଆଳୀ ପକାଉଥିବାର ଭାବି ଭାବି ନିରନ୍ତର । ୫ ।
ମଧୁପାନେ ମତ୍ତ ହୋଇ ବର୍ଣ୍ଣଲୁପ୍ତ ଗୀତ ଗାଇ
ଗଣ୍ଡ ପାଶେ ଗଣ୍ଡ ଦେଇ ରହିବା ଶ୍ରୀମୂର୍ତ୍ତି ଥାଇ । ୬ ।
ଆସି ଆସି ମଥା ପୋଥି ଉଭା ହେବାର ଝଟତି
ଲୁଚିବାର ଲଭି ଭୀତି ସେ ସୁଷମା ଚିନ୍ତି ଚିନ୍ତି । ୭ ।
ଗୋପାଳକୃଷ୍ଣ ଭାଷିତ ଯାଅ ତୁ ମନ ସନ୍ତତ
ହୁଅ ଶ୍ରୀ ଲଳିତାଶ୍ରିତ ପୂର୍ଣ୍ଣଚନ୍ଦ୍ର ଅଭିମତ । ୮ ।