Kahinki Syama Murati Go

କାହିଁକି ଶ୍ୟାମ ମୂରତି ଗୋ
(Gopalakrusna— Raga Ananda Kamodi, Tala Khemata)
(ଗୋପାଳକୃଷ୍ଣ— ରାଗ ଆନନ୍ଦ କାମୋଦୀ, ତାଳ ଖେମଟା)

କାହିଁକି ଶ୍ୟାମ ମୂରତି ଗୋ
ସଦା ଦିଶୁଛି ମୋତେ ଦିନ ରାତି ଗୋ । ଘୋଷା ।

ପଛୁ ଆସିଲା ପରି ହୁଏ ମତି
ଚାହିଁଲେ କେ ନ ଦିଶେ ଏ କି ରୀତି । ୧ ।

ଆସି ଆଗେ ରହୁ ହେଟି ଜରତୀ
ବୋଲୁ ମୋ ହୃଦେ ଲୁକୁଛି ଝଟତି । ୨ ।

ଆଖି ବୁଜିଲେ କୁଞ୍ଜବନେ ନିତି
ସ୍ୱପ୍ନେ ବୁଲାଉଛି ଏ କି ବିପତ୍ତି । ୩ ।

ଘରୁ ଅଗଣାକୁ ଯିବାକୁ ଭୀତି
ଲାଗିଲାନି ମୋତେ କହ କି ଗତି । ୪ ।

କୃଷ୍ଣ କୃଷ୍ଣ ବୋଇଲାର ଭାରତୀ
କାନରେ ପଡ଼ିଲେ ଥରୁଛି ଛାତି । ୫ ।

ଗୋପାଳକୃଷ୍ଣ ବୋଲଇ ବିଚ୍ଛିତି
ବଂଶରୁ ଏପରି ହେଉଛି ସ୍ଫୁର୍ତ୍ତି । ୬ ।