(ଗୋପାଳକୃଷ୍ଣ— ରାଗ ଭୈରବୀ, ତାଳ ରୂପକ)
ଘନଶ୍ୟାମ ପ୍ରେମ ଭାବନା
ବନଜାକ୍ଷି ଜାଣୁ ତୁ ସିନା
ମାନ କଲା ପରି ମନ ଘେନିବାର
ଆନ ଜାଣିବ କେହି ତୋ ବିନାରେ । ଘୋଷା ।
ଡାକୁ ବନମାଳୀ ଲୁକୁଯାଇ ଆଳି
ଆଳୀ ପଛରେ ତୁ ଲୋଳଲୋଚନା ରେ
ମୁନି ପରି ତୁନି ହୋଇ ଚନ୍ଦ୍ରାନନୀ
ଶାଢ଼ୀ ବାଡ଼ ନଖେ ଘଷୁ ସୁମନାରେ । ୧ ।
ଦଣ୍ଡେ ନ ଦେଖିଲେ ଗଣ୍ଡେ କର ଦେଇ
କେତେ ଲୁହ ପୋଛୁ ହୋଇ ବିମନା ରେ
ଆସିଲେ ଛାମୁକୁ ନ ଚାହିଁ ମୁହଁକୁ
ସହୀ ମୂଳେ କରାଉ ସମ୍ଭାବନା ରେ । ୨ ।
ନୀରଦ ନିବହ ନିରେଖି ଯା ଦେହ
ତୁଲ ରୁଚି ଭାବି ହରୁ ଚେତନା ରେ
ନିକଟ ହେଲେ ସେ ନିକୁଞ୍ଜ ପ୍ରବେଶେ
ଥରି ଥାଉ ତୁ କୁଙ୍କୁମ ବରନା ରେ । ୩ ।
ଚନ୍ଦନ ଗୋଳାଇ ପ୍ରିୟ ଆଗେ ଯାଇ
ରହୁ ଉଭା ହୋଇ କୁନ୍ଦରଦନା ରେ
ଲାଜେ ଦରହାସୀ ଦନ୍ତବାସ ଦଂଶି
ବୋଳୁ ତୋଳି ଭୁଜ ଘନଜଘନା ରେ । ୪ ।
ନତି କଲେ ହରି ନାହିଁ କଲା ପରି
ଏଣେ ଆଚରୁ ଧରଣୀ ମଣ୍ଡନା ରେ
ଗୋପାଳକୃଷ୍ଣ ସେ ଶ୍ରୀମତୀଙ୍କୁ ଭାଷେ
ତେଣେ ପୂରାଉ ପ୍ରାଣେଶ କାମନା ରେ । ୫ ।