(ଗୋପାଳକୃଷ୍ଣ— ରାଗ ପରଜ, ତାଳ ଯତି)
ଦେଖାଇବ କି ସତେ ଦଇବ ରାଧାଗୋବିନ୍ଦ ମାଧୁରୀ । ଘୋଷା ।
ବ୍ରଜେନ୍ଦ୍ର ପୁରରେ ରନ୍ଧନ କାଳରେ
ରସବତୀରେ ଶ୍ରୀ ରାସେଶ୍ୱରୀ
ସୁବେଶ ହୋଇ ରମଣ ଆହା ସେ ଚାରି ଈକ୍ଷଣ
ଢଳାଢଳି ହୋଇବାର ଚାତୁରୀ ରେ ଚାତୁରୀ । ୧ ।
କୁସୁମ ଅବଚୟନ କାଳରେ ଆସି ମୋହନ
ରହିଲେ ଶ୍ରୀକିଶୋରୀ ଛାମୁରେ
ଗଣ୍ଡଦେଶରେ ବସନ ସଲଜ୍ଜେ କରି ଆଚ୍ଛନ୍ନ
ବଲ୍ଲୀ ଆଡ଼କୁ ଯିବାର ବାହାରି ରେ ବାହାରି । ୨ ।
ପୁଷ୍ପେ ତୋଳି ବନମାଳୀ ଯାଚିଲେ କରି ଅଞ୍ଜଳୀ
ନ ଅନାଇ ତୁନି ହୋଇ ରହି
ଶାଢ଼ୀ ବାଡ଼ ନଖେ ଘଷୁ ଶ୍ୟାମ ନିକଟକୁ ଆସୁ
ଛୁଅନା ବୋଲିବାର ସେ ଓହରି ରେ ଓହରି । ୩ ।
ଉଦିତ ନାନା ବିକାର ଭୂଷାରେ ଶ୍ରୀକଳେବର
ଭୂଷିତ ହୋଇ ପ୍ରଣୟ ଜ୍ୟୋତି
ଜାଣୁନି ଲଳିତା ସହୀ ଛନ୍ତି ଦେବେଟି କହି
ବୋଲିବାର ନଚାଇ ସେ ଭ୍ରୂବଲ୍ଲୀ ରେ ଭ୍ରୂବଲ୍ଲୀ । ୪ ।
ମଧୁବ୍ରତ ବେଢ଼ୁ ପାଶେ ମୋହନ ରହି ପାରୁଶେ
ବାସ ଶେଷେ ନିବାରୁ ଦେବାରୁ
ଯାଉଛି ବୋଲି ବାହାରି ସି ହସି ଶ୍ରୀକିଶୋରୀ
ଚାଳୁ ପଦ ଚେଳ ଅଙ୍କେ ସମ୍ଭରି ରେ ସମ୍ଭରି । ୫ ।
କରି ଅରଣ୍ୟ ଭ୍ରମଣ ଜଗତ ବଇଲକ୍ଷଣ
ସୁମନସ ସ୍ରଜର ସୁଷମା
କି ଉପମା ରମା ଉମା କି ମଦନ କି ଚନ୍ଦ୍ରମା
ନ ଥିବ ଯେ ପରଂବ୍ୟୋମ ସେପାରି ରେ ସେପାରି । ୬ ।
ନାଗକେଶର କୁଞ୍ଜର ରତ୍ନ ବୋଳାର ବେହାର
ସହୀ ସହି କରି ଆରୋହଣ
ବୃନ୍ଦା ଧୀରେ ପହଞ୍ଚାଉ ଆହା ହୁଳହୁଳି ଦେଉ
ଉଚ୍ଛଳନ୍ତା ଆନନ୍ଦାବ୍ଧି ମୋହରି ରେ ମୋହରି । ୭ ।