Daya Na Karantu Mun Dasi Sina

ଦୟା ନ କରନ୍ତୁ ମୁଁ ଦାସୀ ସିନା
(Gopalakrusna— Raga Dhanasri)
(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ)

ଦୟା ନ କରନ୍ତୁ ମୁଁ ଦାସୀ ସିନା ରେ । ଘୋଷା ।

ଦୁଃଖ ଦେଇ ଶ୍ୟାମକୁ ରାଧା ସୁଖୀ ହେବାକୁ
ରୁଷିବ କଲୁ କି ଏ ଆଲୋଚନା ରେ । ୧ ।

ଯେ ତାଙ୍କ ମନୋହାରୀ ତା ନଉକରୀ କରି
ଦିନ ନେବି ପଛକେ ଗୁମାନ ନାରେ । ୨ ।

ଯାହାରେ ହେଲେ ସଖୀସେ ହୋଇଥିଲେ ସୁଖୀ
ମିଳିଲା ପରି କୋଟି ଲକ୍ଷ ସୁନା ରେ । ୩ ।

ଯଶୋଦାଙ୍କ ପୁଣ୍ୟରେ ଚିରଞ୍ଜିବୀ ବ୍ରଜରେ
ହୋଇ ସେ ସହୀ ରହିଥାନ୍ତି କିନା ରେ । ୪ ।

ନିକଟରେ କି ଦୂରେ ନିତି ଶ୍ରୀମୁଖ ଥରେ
ଦେଖୁଥିବି ଏତିକି ମୋ କାମନା ରେ । ୫ ।

ଗୋପାଳକୃଷ୍ଣ କହି ହସି ଭାଷିଲେ ସହୀ
କେ ତୋ ପଛରେ ରହିଛନ୍ତି ଅନା ରେ । ୬ ।