Parameswara Sri Krusna Brajendra Kumara He

ପରମେଶ୍ୱର ଶ୍ରୀ କୃଷ୍ଣ ବ୍ରଜେନ୍ଦ୍ର କୁମାର ହେ
(Gopalakrusna— Raga Malabagouda, Tala Athatali)
(ଗୋପାଳକୃଷ୍ଣ— ରାଗ ମାଳବଗୌଡ଼ା, ତାଳ ଆଠତାଳି)

ପରମେଶ୍ୱର ଶ୍ରୀ କୃଷ୍ଣ ବ୍ରଜେନ୍ଦ୍ର କୁମାର ହେ
ଯୁଗାନୁସାରରେ କରୁଛନ୍ତି ଅବତାର ହେ । ଘୋଷା ।
ଶ୍ରୀ ବଳରାମ ଶ୍ରୀ ନାରାୟଣ ଯା ବିଳାସ ହେ
ଶ୍ରୀ ନୃହରି ବାମନ ରଘୁବର
କେ କେତେ କଳାରେ ହେଲେ ପ୍ରଚାର
ଅଂଶ ଲେଶଟି ଆନ ଅବତାର
ସର୍ବୋତ୍ତଂସ ଶ୍ରୀ ରାଧା ପ୍ରାଣ ଯାର । ୧ ।

କୃତ ଯୁଗରେ କୋଟି ଦ୍ୟୁମଣି ଚନ୍ଦ୍ର ଦ୍ୟୁତି ହେ
ଧରି ହେଲେ ଅଦ୍ୱିତୀୟ ନୃକେଶରୀ ମୂର୍ତ୍ତି ହେ
ସୁପର୍ବଣଙ୍କ ଦୁଃଖ ନିର୍ବାପଣ
କରିବାକୁ ହୋଇ ଅତି ଭୀଷଣ
ପୁଣ୍ୟଜନ କୁଳ ଚକ୍ରବର୍ତ୍ତୀର
ପ୍ରାଣ ନେଲେ ନଖେ ଚିରି ଶରୀର । ୨ ।

ତ୍ରେତା ଯୁଗେ ଅଭିରାମ ରାମ ରୂପ ଧରି ହେ
ଦଶରଥ ପୁଣ୍ୟପୁଞ୍ଜ ଅରଣ୍ୟେ ବିହରି ହେ
ଧରାଭରା ଦଶ ଶିର ସଗୋତ୍ର
ସହ ନାଶି କଲେ ଲୋକେ ପବିତ୍ର
ସୁର ପୁରକୁ ସ୍ୱଦାସ ନିକର
ସଙ୍ଗେ ନେଇ କଲେ ଦେବ ଶରୀର । ୩ ।

ଦେବକୀ ସୁତ ରୂପରେ ହୋଇ ଆବିର୍ଭାବ ହେ
ଦ୍ୱାପରେ ଗୋପ ପୁରରେ ପାଳି ଗୋବ ଗାବ ହେ
ପୂର୍ଣ୍ଣ ପୂର୍ଣ୍ଣୋତ୍ତର ରୂପେ ପ୍ରକାଶ
ହୋଇ ପିଷ୍ଟପ ଦୁଷ୍ଟ ନାଶ
ମଥୁରା ଦ୍ୱାରାବତୀରେ ବିହାର
ଦ୍ୱିସପ୍ତ ଲୋକେ ହୋଇଛି ପ୍ରଚାର । ୪ ।

ପୂର୍ଣ୍ଣୋତ୍ତମ ରାଧା ପ୍ରାଣନାଥ କୃପାସିନ୍ଧୁ ହେ
ବ୍ରଜ ଯୁବତୀ ନିରଭସନ୍ଧ ପ୍ରେମ ବନ୍ଧୁ ହେ
ସ୍ୱପ୍ରେମ ଦେବାକୁ କଳିଯୁଗରେ
ସଂକୀର୍ତ୍ତନ ପ୍ରିୟ ଶଚୀ ଗର୍ଭରେ
ଜନ୍ମିଲେ ଶ୍ରୀ ପ୍ରତାପରୁଦ୍ରଙ୍କର
ଜୀବନର ପ୍ରଭୁ ଗୌରସୁନ୍ଦର । ୫ ।