Bhismaka Kumariki Nela Syama

ଭୀଷ୍ମକ କୁମାରୀକି ନେଲ ଶ୍ୟାମ
(Ganesa— Raga Bichitra Kamodi, Tala Adatali)
(ଗଣେଶ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)

ରୁକ୍ମିଣୀବିଭା ଗୀତ
ଭୀଷ୍ମକ କୁମାରୀକି
ନେଲ ଶ୍ୟାମ କି ଛଟକେ ହରିକି । ଘୋଷା ।

ଶିଶୁପାଳ ହୋଇଥିଲା ବର ବେଶ
ସ୍ୱୟମ୍ବରେ ଥିଲେ ଯେତେକ ନରେଶ
ମେରୁ ଉହାଡ଼ରେ ରଖି ନନ୍ଦିଘୋଷ
ହୋଇଥିଲ ମଧୁହାରୀ ହେ । ୧ ।

ବିଭା ଅଧିବାସ ମଙ୍ଗଳ ସମୟେ
ଭବାନୀ ପୂଜାକୁ ରୁକ୍ମିଣୀ ବିଜୟେ
ଆକର୍ଷି ମୋହନ ନେଲ କି ଉପାୟେ
ବିକ୍ରମି କେଶରୀ ପରିକି । ୨ ।

ନେଲା ନେଲା ବୋଲି ଶୁଭିଲା କି ଗୋଳ
ଆଗେ ରହି ରଣ କରେ ଶିଶୁପାଳ
ବିକ୍ରମି ରଥରେ ବାନ୍ଧିଲେ ଗୋପାଳ
ଫେଡ଼ିଦେଲେ ହଳଧାରୀ ହେ । ୩ ।

ବାଜେ ବାଦ୍ୟ ଘୋଷ ଟମକ ନିଶାଣ
ପ୍ରଚଣ୍ଡେ ଶୁଭିଲା ବେଦ ଉଚ୍ଚାରଣ
କୁସୁମ ବୃଷ୍ଟି ଯେ କଲେ ଦେବଗଣ
ସର୍ବେ ଜୟ ଜୟ କରିକି । ୪ ।

ତକ୍ଷଣେ ବିଜୟେ ଦ୍ୱାରକା ନଗରେ
ବିଜେ କଲେ ପ୍ରଭୁ ରତ୍ନବେଦୀ ପରେ
ଶୁକ ସନକାଦି ହରଷ ମନରେ
ବିଭା ବିଧାନକୁ ସାରିକି । ୫ ।

ବନ୍ଦାପନା ମଧୁଶଯ୍ୟାରେ ଶୟନ
ବଢ଼ାଇ ସପତ ଦିନର ବିଧାନ
ଭଣଇ ଗଣେଶ ଦୋଷ ମୋ ନ ଘେନ
ସୁଜନ ଜନ ବିଚାରିକି । ୬ ।