(ଯଦୁମଣି)
ବଳାହକ କୁନ୍ତଳା ନୀଳାଚଳରେ ଖେଳା
ଚଳାଇଛନ୍ତି ଚକାଡୋଳା
ଚଞ୍ଚଳା ଭୋଳାହେଳା ଭାବେ ହୋଇ ନର୍ମଳା
ଦାରୁଣ ମୁରାସୁର ଦଳା
ସେ ହୁଳା ହୁଳା
ପ୍ରବଳ ଭାବେ ଷୋଳ କଳା
ଦୈତ୍ୟକୁଳାଜଳାଳୟରେ ପ୍ରହ୍ଲାଦ କଳା
ନିର୍ବଳା କଲ ଜ୍ୱାଳା କିଲା । ୧ । (ସତ୍ୟ)
ଭୂପାଳକ କୌଶଲ୍ୟା ବଳାରେ ଯାଗଶାଳା
ରକ୍ଷା ମିଳାଗମେଽଳର୍ଗଳା
ଅଖିଳା କୁଳାକୁଳା ତୁଳାକନ୍ୟା ତୁଳାର୍ଥେ
ମାର୍ଗେ ପର୍ଶୁଶିଳାଙ୍ଘ୍ରିଧୂଳା
ହେ ଶିଳାବଳା
ଝଳାବାଳା କରି ମିଥିଳା
ଖଳାୟତେନର୍ଗଳା ଗଳାଦଶାଦି ଭେଳା
ଲଙ୍କାଖଳାରେ ଧୂଳାମଳା । ୨ । (ତ୍ରେତା)
ବଳାନୁଜେ ବିକଳା ବିମଳା ଗର୍ଭସ୍ଥଳା
ଯଶୋଦାବତ୍ସଳା ବର୍ତ୍ତୁଳା
ନନ୍ଦଘର ଉଜ୍ଜ୍ୱଳା ମଉଳା ଅଷ୍ଟକୀଳା
ମଲ୍ଲଙ୍କୁ ଝଳାଇଲ ଭୋଳା
ହେ କଳାଧଳା
କଳାଭୁଜଙ୍ଗ ଶିରଦଳା
ଗୋଳାଚନ୍ଦନବୋଳା ଶ୍ୟାମଳାଙ୍ଗେ ନିର୍ମଳା
ଖେଳାବଂଶୀବଦନ ନଳା । ୩ । (ଦ୍ୱାପର)
ମାଳା ଧରି ପିତୁଳା ପରି ସାଧୁ କଲ୍ଲୋଳା
କୁଶଳାନନ୍ଦେ କରି ଲୀଳା
ଭବାର୍ଣ୍ଣବକୁ ଭେଳା ଦେଇ ହେ ଚକ୍ରଚଳା
ପଳାଇଯାଅ ଦୁଃଖାକୁଳା
ହେ କଳାଧଳା
ଯଦୁମଣିର ଗଳା ହେଳା ହେବ ମୁକୁଳା
ତେଣୁ ଏ ହୋଇଲା ଅଶୀଳା । ୪ । (କଳି)