Na Pachari Jani Jani

ନ ପଚାରି ଜାଣି ଜାଣି
(Biramitrodaya— Raga Nalinigouda, Tala Tripata)
(ବୀରମିତ୍ରୋଦୟ— ରାଗ ନଳିନୀଗୌଡ଼ା, ତାଳ ତ୍ରିପଟା)

ନ ପଚାରି ଜାଣି ଜାଣି ମତିକି ମୁଁ ହୁଡ଼ିଲି ରେ
ଲମ୍ପଟିଆ ପ୍ରୀତି ପଟଳରେ ପଡ଼ି ବୁଡ଼ିଲି ରେ । ଘୋଷା ।

ଲାଭ ଏତିକି ଚରମେ ଦରଦ ହେଲା ମରମେ
କେଣିକି ମନ ନ ରମେ କି ଭରମେ ପଡ଼ିଲି ରେ । ୧ ।

ନୃଶଂସକୁ ଯେ ନିରତେ ପ୍ରଶଂସୁ ମୋହ ପୁରତେ
ତୋ କଥା କରି ପରତେ ଏ ଦୁର୍ଦ୍ଦଶା ଲୋଡ଼ିଲି ରେ । ୨ ।

ଗଗନ ଶଶୀକି କର ଲଗନ କରି ନିକର
ପିଇବି ସୁଧା ଶୀକର ଆଶା ଧରି ସଢ଼ିଲି ରେ । ୩ ।

ସଙ୍ଗିନୀ ହିତ ବଚନ ନ ମାନି କଲି ମୋଚନ
ତେଣୁ ଏ ଅନୁଶୋଚନ ସରିତରେ ବୁଡ଼ିଲି ରେ । ୪ ।

ସ୍ୱର୍ଣ୍ଣପୁର ଯୁବନାଥ ଭାଷେ ସଙ୍କେତ ସନାଥ
ଆସି ଯା ହେଲି ଅନାଥ କୁଳଭୟ ଛାଡ଼ିଲି ରେ । ୫ ।