Janathila Ki Re Bina Bachana

ଜଣାଥିଲା କି ରେ ବୀଣାବଚନା
(Biramitrodaya— Raga Lalitaa, Tala Athatali)
(ବୀରମିତ୍ରୋଦୟ— ରାଗ ଲଳିତା, ତାଳ ଆଠତାଳି)

ଜଣାଥିଲା କି ରେ ବୀଣାବଚନା ସତେ
ବଣା କରାଇବୁ ଛନ୍ଦ ବହି ଅନ୍ତର୍ଗତେ । ଘୋଷା ।

ପରବ ଚନ୍ଦ୍ରକୁ ଧରି ପିଇବାରେ ଆଶା କରି
ଜନ୍ମିବ ଗରଳ ବୋଲି ଥିଲା କି ପରତେ । ୧ ।

ଗୋଳି କର୍ପୂରର ଧୂଳି ଦେଲେ କଳେବର ବୋଳି
ଅନଳକୁ ବଳି ଜ୍ୱାଳା କରିବ ନିରତେ । ୨ ।

ଅଣାଇ ସୁରଧୁନୀର ପିଅନ୍ତେ ସୁସ୍ୱାଦୁ ନୀର
ଦ୍ୱିଗୁଣ ତୃଷା ଜନ୍ମିବ ବୋଲି ଏ ମରତେ । ୩ ।

ଜନମରୁ ଥିବ କରି ଯେ ଯାହାକୁ ପ୍ରାଣ ପରି
କରତି ଦେବ ସେ ଛାତି କଠିନ କରତେ । ୪ ।

କହେ ବୀରମିତ୍ରୋଦୟ ସିଂହ ଏପରି ନିର୍ଦ୍ଦୟ
ପଣ ତ ଦେଖାଇ ନାହିଁ କେବେ ମୋ ପୁରତେ । ୫ ।