(ବୀରମିତ୍ରୋଦୟ— ରାଗ କେଦାରଗୌଡ଼ା, ତାଳ ତ୍ରିପଟା)
ସଙ୍ଗିନୀ ରେ ସୁବେଶ ସାଜି ଆସ
ଯିବା ଶ୍ରୀକୃଷ୍ଣ ପାଶ । ଘୋଷା ।
ସରିଲା ଏବେ ତୋର ସବୁ ସନ୍ତାପଭାର ସତରେ
ସଂଶୟ ଆଉ ନ ରଖ ତୁ ଚିତ୍ତରେ
ଆସି ହେଲାଣି ନିଶି ପ୍ରବେଶ
ଶଶୀ କିରଣରେ ଉଜ୍ଜ୍ୱଳ ଦଶଦିଶ
ରସାଳସା ରେ
(ପଡ଼ି)
ଝଳି ନଭ ପ୍ରାଙ୍ଗଣେ ଜ୍ୱଳନ୍ତି ତାରାଗଣେ
ଦେଖ ଥରେ ଈକ୍ଷଣେ ମରୁତ କ୍ଷଣେ କ୍ଷଣେ
ବହେ ଶୁଭ ଲକ୍ଷଣେ ଧନ ରେ
ବସିଥିବ ମୋହନ ଅନାଇଁ ତୋ ଅୟନ । ୧ ।
ତୋ ଲାଗି ପଲ୍ଲବ ଶୟନ ବଲ୍ଲବ କୁମାର
ରହିଥିବ କରି ଧ୍ୟାନକୁ ତୋହର
ଥରକୁ ଥର ସେନେହ ବଳି
ପଡ଼ୁଥିବ ତା ହୃଦୟରୁ ଉଚ୍ଛୁଳି
ରସାଳସା ରେ
(ପଡ଼ି)
କିଶଳୟ ଚଳନ ଝିଲ୍ଲୀକୁଳ ନିଃସ୍ୱନ
ମଣି ତୋର ଗମନ ଜାଣି ଉତ୍ସୁକ ମନ
ହୁଏ କଞ୍ଜଲୋଚନ ଧନ ରେ
ସରିଯିବଟି ରାତି ନ ଦେଖୁଁ ତା ମୂରତି । ୨ ।
କୃତ ଭାଗ୍ୟରୁ ବାମ ନୟନା ଆଜି ଶ୍ୟାମ ଅଙ୍ଗରେ
ବିରାଜିବୁ ତୁହି ମଦନ ରଙ୍ଗରେ
କଷ ପାଷାଣରେ କନକ ପ୍ରଭା
ପରି ହେବ ସେ କାଳରେ ଅତ୍ୟନ୍ତ ଶୋଭା
ରସାଳସା ରେ
(ପଡ଼ି)
ଜାଣୁଛି ମୁଁ ଅବଶ୍ୟ ଜାତ ହେଲେ ଅବଶ
ଆଉ ମନ୍ଦାକ୍ଷ ଲେଶ ନ ରହି ହୃଦ ଦେଶ
ଧନ ରେ
ନ କର ତୁ ପ୍ରଳମ୍ବ କୁନ୍ତଳା ରେ ବିଳମ୍ବ । ୩ ।
ପିଅନ୍ତେ ସୁମଧୁର ବଂଶୀଧର ଅଧର ପୀୟୂଷ
ହୋଇବ ତୋହର ଏ ତୃଷା ବିନାଶ
ଦେଖି ଶ୍ୟାମର ମୁଖ ସାରସ
ସୁଖୀ ହେବ ତୋହର ଏ ଲୋଳ ମାନସ
ରସାଳସା ରେ
(ପଡ଼ି)
ଧରି ତୋର ପାଣିକି ପ୍ରଣୟରେ ଏଣିକି
କହିବି ରେ ବାଣୀକି ନ ଚିର ଧରଣୀକି
କର ଗତି ତେଣିକି ଧନ ରେ
ଶ୍ରୀ ବୀରମିତ୍ରୋଦୟ କରଇ ଏ ବିନୟ । ୩ ।