Mohana Banchai Kahile Ki Heba Aau

ମୋହନ ବଞ୍ଚାଇ କହିଲେ କି ହେବ ଆଉ
(Biramitrodaya— Raga Kamodi, Tala Aditala)
(ବୀରମିତ୍ରୋଦୟ— ରାଗ କାମୋଦୀ, ତାଳ ଆଦିତାଳ)

ମୋହନ ବଞ୍ଚାଇ କହିଲେ କି ହେବ ଆଉ
ଶ୍ୟାମ ହେ ଛନ୍ଦ ବଚନରେ । ଘୋଷା ।

ପାଳି ସ୍ନେହ ତୋଷରେ କାଲି କାହା ବାସରେ
ବଳୀଶୋଭୀ ପାଶରେ ମିଳି ସୁବେଶରେ
ସଲୀଳ ହାସରେ
ଛଳି ବାନ୍ଧି ରଖିଲା ଦୃଢ଼ ଭୁଜପାଶରେ
ଭୁଲି ପରିହାସରେ
କଳି କି ନ ପାରିଲ ରଜନୀ ବିଶେଷରେ । ୧ ।

ନବ ଚତୁରୀବର ଅବଧାନ ମାତର
ଅବଶେ ତରତର ହେ ନବ ଜଳଧର
ସୁବର୍ଣ୍ଣ ସୁନ୍ଦର
ଅବଶ୍ୟ ଭିଡ଼ିଥିବ ଲଗାଇ ଭୁଜାନ୍ତର
ତବ କଳେବର
ଅବଲୋକନେ ଦିଶେ କୁଙ୍କୁମେ ଜରଜର । ୨ ।

ଧରି କି ଅଭିମାନ ପରିଚାର ଗୁମାନ
କରିଥିଲା ସେ ମାନ ହରି ତା ସମ୍ମାନ
କରି ଗୁଣଗାନ
ଧରି ଚରଣ ଶିର ଲଗାଇ କଲ ମାନ୍ୟ
ପରିଶେଷ ମାନ
କରିଛି ପଦ ଲାକ୍ଷା ଚନ୍ଦ୍ରକେ ଦ୍ୟୋତମାନ । ୩ ।

ରସିକା ସେ କୋଳରେ ବଞ୍ଚିବାର କାଳରେ
ମିଶି ପ୍ରେମ ଭୋଳରେ ହସି ଚପଳରେ
ରସି କପୋଳରେ
ଘଷି ଗଣ୍ଡ ଚୁମ୍ବିଛି ତା ତାମ୍ବୂଳ ବୋଳରେ
ବସିଛି ଉଜ୍ଜ୍ୱଳରେ
ଭାଷିଲା ବୀରମିତ୍ରୋଦୟ କହି ଛଳରେ । ୪ ।