Asa Asa Dhana Re Pase Basa Re

ଆସ ଆସ ଧନ ରେ ପାଶେ ବସ ରେ
(Biramitrodaya— Raga Mallara, Tala Tripata)
(ବୀରମିତ୍ରୋଦୟ— ରାଗ ମଲ୍ଲାର, ତାଳ ତ୍ରିପଟା)

ଆସ ଆସ ଧନ ରେ ପାଶେ ବସ ରେ
କି କହିଛନ୍ତି ମୁରଲୀଧର ଥରେ ଭାଷ ରେ । ଘୋଷା ।

ଅତରକିତ ଭାବରେ ଯାଉଁ ତାଙ୍କ ପାଶରେ
ଦେଖାଗଲା କି ମଧୁର ରଙ୍ଗାଧରେ ହାସ ରେ । ୧ ।

ଜଣାଗଲା ସ୍ନେହ ଥିବା ପରି କି ତାଙ୍କର ରେ
ପଚାରିଲେ କି ଆଦରେ ଧରି ତୋହ କର ରେ । ୨ ।

ତୋ ବାଣୀ ଶ୍ରବଣେ ଧରି ପୂରୁବ କରୁଣା ରେ
କଲେ କି ନାଗରମଣି ହୃଦୟ ଫୁରୁଣା ରେ । ୩ ।

କରିପାରିଲୁ କି ସଖୀ ଅଳପ କଳଣା ରେ
କରିବା ପୀରତି ହୋଇ ନାହିଁ କି ଅଲଗା ରେ । ୪ ।

ମୋହ ପରି ଅବଶରେ କୁସୁମ ନାରାଜରେ
କରଇ କି କିଛି ହେଲେ ମନକୁ ନାରାଜ ରେ । ୫ ।

କରି ଅଙ୍ଗୀକାର ଥରେ କୁଞ୍ଜେ ଆସିବାକୁ ରେ
କରିବେ କି ଅନୁକମ୍ପା ପାଶେ ବସିବାକୁ ରେ । ୬ ।

କହେ ବୀରମିତ୍ରୋଦୟ ଦେବ ଯୁବରାଜ ରେ
ସତେ କି ସେ ପ୍ରିୟ ମୋତେ ଦେଖା ଦେବେ ଆଜ ରେ । ୭ ।