E Ki Dasa Re Karaibuti Lokahasa

ଏ କି ଦଶା ରେ କରାଇବୁଟି ଲୋକହସା
(Biramitrodaya— Raga Gundakeri, Tala Adatali)
(ବୀରମିତ୍ରୋଦୟ— ରାଗ ଗୁଣ୍ଡକେରୀ, ତାଳ ଆଡ଼ତାଳି)

ଏ କି ଦଶା ରେ କରାଇବୁଟି ଲୋକହସା । ଘୋଷା ।

ନୂତନ ପଲ୍ଲବ ପାଟଳ କାନ୍ତିକି
ଚୁମ୍ବଇ ବାସବ ଆଶା
ପାଦପ ମଧ୍ୟରେ ମନ୍ଦ୍ରତରେ ଶୁଭି
-ଲାଣି ବିହଙ୍ଗମ ଭାଷା । ୧ ।

ନୀରଜ ସଞ୍ଚୟ ବାସ ଧରି ବହି
-ଲାଣି ସମୀରଣ ଯୋଷା
ବାଜଇ ଯମୁନା ତୀର ବନେ ଶୁଣ
ଗୋପ ବଧୂ ପଦଭୂଷା । ୨ ।

ଭାଙ୍ଗି ପକା ବନ ନାଗରମଣ୍ଡନ
କେଳି କଳାପରୁ ଆଶା
ଜାଣିବଟି ଯେବେ ସେ ଜଟିଳା ଘରେ
କାଟି ପକାଇବ ନାସା । ୩ ।

ସ୍ୱର୍ଣ୍ଣପୁରେଶ୍ୱର ପୁତ୍ରର ସତ୍ୱର
ଭାଷକୁ ଘେନ ସୁକେଶା
ସାରି ନ ଦେ ଧନ ଆମ୍ଭ ମହତ୍ୱକୁ
ମାତି ଦିନେ ସୁନିବେଶା । ୪ ।