(ବୀରମିତ୍ରୋଦୟ— ରାଗ ମରୁଆ, ତାଳ ଆଠତାଳି)
ସଢ଼ିଯିବି ସିନା ମୁଁ ଲାଜେ । ଘୋଷା ।
ନିଶିଥିନୀ ହେଲା ନାଶ ଦିଶି ଆସିଲାଣି ଦିଶ
ଲୋକେ ହେଲେ ପରକାଶ ହେବ ସିନା ଉପହାସ । ୧ ।
ଲୋଟି ଅସମ୍ଭାଳ ପରି ଫିଟିପଡ଼ିଛି କବରୀ
ସଜାଅ ତା ବେଗ କରି ନ ଜାଣନ୍ତୁ ସହଚରୀ । ୨ ।
ରହି ନ କଟାଳ ଆଉ ଏହି ଅନୁକମ୍ପା ଥାଉ
ପଳାଅ ରାତି ନ ପାହୁଁ ନ ଲାଗୁଟି ନିନ୍ଦା ଦାଉ । ୩ ।
ବୀରମିତ୍ରୋଦୟ ଭଣି ଶୁଣି ସେ ନାଗରମଣି
ବିନୟରେ ଧରି ପାଣି ହୋଇଲେ ତହୁଁ ମେଲାଣି । ୪ ।