(ବୀରମିତ୍ରୋଦୟ— ରାଗ କେଦାର, ତାଳ ସରିମାନ)
ବନ୍ଧୁ ମୋହନ ସଙ୍ଗରେ
ମାତି ସାରିଦେଲୁ ଆଜ ରାତି କେଳିରଙ୍ଗରେ ଧନ ତୁ । ଘୋଷା ।
ଉନ୍ନିଦ୍ରରୁ ଚଞ୍ଚଳିତ ତୋ ଲୋଚନ ଯୁଗଳ
ନିନ୍ଦଇ ସେ ଦରଫୁଟା କୋକନଦ ସଦଳ
(ପଡ଼ି)
ହିମାଂଶୁ ମଣ୍ଡଳ ସମାନ ଉଜ୍ଜ୍ୱଳ
ବଦନେ ବିନ୍ଦୁ ବିନ୍ଦୁ ଜନମି ଶ୍ରମଜଳ
ଅମୃତଝର ତୁଲ୍ୟ ଦିଶଇ ଢଳଢଳ
ଲୁଳି କପୋଳେ ଅଳକାଳୀ ଅତି ବିରୋଳ
ଜଣାଉଛି ନିଖିଳ ରୀତିକି ସୁରତେ । ୧ ।
ଫୁଟି ଲୋଟିଥିଲା ଚରମରେ ଏ କବରୀ
ଗୋଟାଇ ତା ତରତରେ ବାନ୍ଧିଲୁକି ଧରି
(ପଡ଼ି)
ଗଣ୍ଡରେ ଦନ୍ତରାଜି କ୍ଷତ ରହିଛି ମଜ୍ଜି
ଲେଖିଥିବା ମକରୀ ଚିତ୍ର ହୋଇଛି ମାଜି
ଗଲା କି ଦମ୍ଭରାଜି ଲୀଳା ମଦରେ ଆଜି
ଯାଉଛି ଜଣା ରାଜୀବାକ୍ଷି କରୁଣା ଭଜି
ହେଲୁ ନିଶ୍ଚୟ ରାଜି ଚୁମ୍ବନ ଦେବାରେ । ୨ ।
ମଣ୍ଡି ହୋଇଛି ଊରଜ କରଜ କ୍ଷତରେ
ଫୁଟି ସୁଝୀନ କଞ୍ଚୁକ ଦିଶେ ବ୍ୟକତରେ
(ପଡ଼ି)
ତୁଟି ତୋ ମୋତି ହାର ପଡ଼ଇ ଝରଝର
ସୁନୀଳ ଜଳଧର ମୁଞ୍ଚେ ନୀର ଶୀକର
କଟୀରୁ ଅମ୍ବର ଖସେ ଥରକୁ ଥର
କଲୁ କି ତାକୁ ବରବରନା ହତାଦର । ୩ ।
କହେ ବୀରମିତ୍ରୋଦୟ ଏ ମନ୍ଥର ଚାଲିକି
ମଦକଳ ମରାଳୀର ଗତି ହେବ ତୁଳିକି
(ପଡ଼ି)
ନୂପୁର ଶିଞ୍ଜିତ ନ ଶୁଭେ ରଞ୍ଜିତ
ସମର ନିର୍ଜ୍ଜିତ ସାମନ୍ତ ତୂର ବତ
ହେବାରୁ ସଖୀ ହସ୍ତ ଅବଲମ୍ବନେ ତ୍ରସ୍ତ
ଅବଶ ଅନାୟତ୍ତ ଭାବକୁ କରେ ବ୍ୟକ୍ତ
ନାହିଁ ପୂରୁବ ବତ ଚାଲିବାକୁ ଶକତ । ୪ ।