(ବୀରମିତ୍ରୋଦୟ— ରାଗ ଆରଭୀ, ତାଳ ସରିମାନ)
ସରିଲା କି ବେଦନା ନାଗର ରତନ
ପୂରିଲା କି ବାସନା ହେ
ତାର ହାରଚୟ ଶୋଭିନୀ ସୁବରନା
ଦାରୁଣପଣ ତେଜି ହୋଇଲା କି ସୁମନା । ଘୋଷା ।
ଆଜି ବସିକି ପାଶରେ ସୁଶୀଳା ଲଳନା
ରସିଲା କେଳି ରସରେ
ଆନନ ଦୋହଲାଇ ନଥ ମୋତି ଝୁଲାଇ
ପ୍ରେମାଳସେ ଗେଲାଇ ଭାଷିଲା କି ଭୁଲାଇ
(ପଡ଼ି)
ରାସରଙ୍ଗୀ ପରିହାସରେ ରୁଚିର
କାଶ ସୁମନ ବିକାଶ ସୁମଧୁର
ହାସ ପୀୟୂଷକୁ ଆସ୍ୟରୁ ଜନ୍ମାଇ
ପ୍ରାଶ ସମୁଦାୟ ନାଶ କରିଛି କି । ୧ ।
ଗଣ୍ଡଦେଶରେ ଚିତ୍ରକୁ ମଣ୍ଡିବା ସମୟେ
ଉଲ୍ଲାସିଲା କି ଗାତ୍ରକୁ
ଛନ୍ଦ ନ ରଖି ପୀନ ମନ୍ଦର ସମ ସ୍ତନ
ଦ୍ୱନ୍ଦ ଲଗାଇ ମାନ ମନ କଲା କି ଧନ
(ପଡ଼ି)
କାମ ପରବଶେ ପ୍ରେମାଳସରେ
ବାମଦୃଶୀ ଅଭିରାମ ଭୁଜ ଫୁଲ ବାମ
ଯୁଗଳ କି ତାମସ ନ ଧରି ଶ୍ୟାମ
ତବ ଗଳେ ବାମା ସେ ଛନ୍ଦିଲା । ୨ ।
ମାତି ପୁରୁଷାୟିତରେ ମୋହିଲା ହୃଦୟ
ନାସା ବସୁଣୀ ନୃତ୍ୟରେ
ଉନ୍ମତ୍ତେ ନୃତ୍ୟକଳା ରଚୁ ନବ ଅବଳା
ହେବାରୁ ବେଣୀଚଳା ଚରମେ କି ନାଚିଲା
(ପଡ଼ି)
ସାରସନେତ୍ରୀ ତାହାର ଛାତି ପରେ ସାର
ମଣି ଚିତ୍ତ ହାରକୁ ଯତ୍ନରେ ବାର
ବାର କରି ମାର ପଖା ପରକାର
ପକାଇଲା ବାରଣ ଗମନା । ୩ ।
ରଚିତ ସୁବର୍ଣ୍ଣପୁର ନରେଶ ତନୟ
ଶ୍ରୀ ବୀରମିତ୍ରୋଦୟର
ଶମ୍ପାବରନା ମନମଥ ବାଣରେ ଛନ୍ନ
ଭଜି ଇଷି ବଚନ ଭାଷ ନତ ଆନନ
(ପଡ଼ି)
ବାରିଧର କେଶୀ ସାରି ସେ ରୀତିକି
ବାରି ହେଲା ଲାଜେ ଠାରି ନେତ୍ରାନ୍ତରେ
ନାରୀମଣି ପରିଚାରୀ ପରି ପୁଣି
ହାରିଲି ବୋଲି ଜୁହାରିଲା ବିନୟେ । ୪ ।