(ବୀରମିତ୍ରୋଦୟ— ରାଗ ମଲ୍ଲାର, ତାଳ ଆଡ଼ତାଳି)
ବସନ୍ତ କାଳରେ ହଲା କାଳ ରେ
ପ୍ରିୟା କୋଳରେ ନାହିଁ ଯା କେଳିଲୋଳରେ । ଘୋଷା ।
ଆସଇ କାଳିନ୍ଦୀ ତୀର ସମୀର ହିଲ୍ଲୋଳରେ
ମିଶି ଅରବିନ୍ଦ ସୂନ ସୁଗନ୍ଧ ଶୀତଳରେ
ଦହିବା ପାଇଁ ବିରହୀ ବହେ ରହି ରହି
ଯେମନ୍ତେ ଚଣ୍ଡବରହୀ
ଜ୍ୱଳଇ ନିରତେ ହୁଏ ପରତେ
ସ୍ପରଶ ମାତ୍ରକେ ଚିତ୍ତ କରଇ ଚଞ୍ଚଳ ରେ । ୧ ।
ଫୁଟିଲେ ଉପବନରେ ନାନା ଜାତି ଫୁଲ ରେ
ନିଆଳୀ ମଲ୍ଲୀ କେତକୀ ଚମ୍ପକ ବକୁଳ ରେ
କାନନର ଅଳଙ୍କାର ମଦନ ଗୁଣ ଟଙ୍କାର
ସମାନ କରି ଝଙ୍କାର
ଭ୍ରମିଲେ ଭ୍ରମରେ ବାସ ଭ୍ରମରେ
କୁସୁମ ଲତା ପାଦପ ପାଶେ ମାଳ ମାଳରେ । ୨ ।
ମଣ୍ଡିଲେ ରସା ବଳୟ ରସାଳ ମୁକୁଳ ରେ
କରି ଦିଗବିଦିଗକୁ ସୌରଭ ସଙ୍କୁଳ ରେ
ଢାଳିଦେଲେ ବନପ୍ରିୟ ନିରୟ ଶ୍ରବଣପ୍ରିୟ
ସଙ୍ଗୀତ ଲହରୀ ପ୍ରିୟ
ବିନା ଅନ୍ତର ହେଲା କାତର
ଭାଲ ତଟେ ରଖି କର ହେଲେ ଅସମ୍ଭାଳ ରେ । ୩ ।
ସ୍ୱର୍ଣ୍ଣପୁର ଯୁବରାଜ ଭାଷେ ଏତେ ବେଳରେ
ଉଚିତ ନୁହଇ କରିବାର ମାନ ଗେଲରେ
କେଉଁ ଉପାୟ ରଚିବି କିପରି ଦିନ ବଞ୍ଚିବି
ଚିତ୍ତେ ଧଇର୍ଯ୍ୟ ସଞ୍ଚିବି
ନ ଲାଗେ ଭରସା ବନ୍ଧୁ ଭରସା
ଜଗତୀ ତଳରେ ଗତି ମୋହର କେବଳ ରେ । ୪ ।