(ବୀରମିତ୍ରୋଦୟ— ରାଗ ଲଳିତା)
ସହି ଶ୍ୟାମେ ରୁଷନା
କହିଲି ପହିଲୁ କୁନ୍ଦକଳି ଦଶନା । ଘୋଷା ।
ତାର ଗୁଣ କୀରତି ସ୍ମରଜିତ ମୂରତି
ଚାହିଁ କେଉଁ ଯୁବତୀ ନୋହିବ ସ୍ନେହବତୀ
ବର୍ତ୍ତାଇବ କେ ପତିବ୍ରତୀ ଧୈର୍ଯ୍ୟ ସମ୍ପତ୍ତି
ଚାପି ରସନା । ୧ ।
ତ୍ରିଭଙ୍ଗ ଉଭା ଠାଣି ଲୋଭନୀୟ ଚାହାଣୀ
ଅନଙ୍ଗ ମନ୍ତ୍ର ଜାଣି ଜନରଞ୍ଜନ ବାଣୀ
ଶୁଣି କେଉଁ ତରୁଣୀ ଋଣୀ ନ ହେବ ପୁଣି
ପ୍ରୀତି ବାସନା । ୨ ।
ଟେକି ଥରେ ମୁରଲୀ ଫୁଙ୍କିଦେଲେ ତରଳି
ଯିବ ତୋ ହୃଦ ଜଳିଯିବ ସନ୍ତାପାବଳୀ
ହେବୁ ବିରହେ ଦଳି ନେବୁ ଦିନ କିଭଳି
ନୀଳ ବସନା । ୩ ।
କନକପୁର ଧରାଜନକ ବଦେ ତ୍ୱରା
ନୁହ ରଙ୍କ ପସରା ଲୁହ ନୟନୁ ସରା
ହରି ତୋତେ ରେ ପରା କରିଛି ପ୍ରାଣ ପରା
ଦମ୍ଭ ନାଶନା । ୪ ।