(ବୀରମିତ୍ରୋଦୟ— ରାଗ ତୋଡ଼ିପରଜ, ତାଳ ଆଠତାଳି)
ଆହା ମୋ ରମଣୀମଣି
ରୋଷ କଲୁ କେଉଁ ଦୋଷ ମଣି ରେ । ଘୋଷା ।
ଚିତ୍ତରେ କର ବିଚାର ଯେ ଯାହାର ପରିଚାର
ତାର ଅପରାଧକୁ କି ଗଣି ରେ । ୧ ।
ବନ୍ଧୁ ସରଳ ହୃଦୟା ହେବାରୁ ସିନା ତୋ ଦୟା
ସାଜିଥିଲା ସେ ପ୍ରୀତି ବିପଣୀ ରେ । ୨ ।
ଖଚ ବଚନକୁ ଧରି ଲୋଚନେ ଲୋତକଭରି
ଦେଲୁ ଡୁବାଇ ପ୍ରଣୟ ଖଣି ରେ । ୩ ।
ଧନ ତାର ହୃଦନ୍ତର ପୂର୍ଣ୍ଣ ସ୍ନେହ ରସେ ତୋର
ଆନ ଯିବାକୁ ନାହିଁ ସରଣୀ ରେ । ୪ ।
ଧରି ବୃଥା ଅଭିମାନ କରିଥିଲୁ ସିନା ମାନ
ଗୀତେ ବୀରମିତ୍ରୋଦୟ ଭଣି ରେ । ୫ ।