To Pari Nahin Itara Re Sangini

ତୋ ପରି ନାହିଁ ଇତର ରେ ସଙ୍ଗିନୀ
(Biramitrodaya— Raga Puri, Tala Aditala)
(ବୀରମିତ୍ରୋଦୟ— ରାଗ ପୁରୀ, ତାଳ ଆଦିତାଳ)

ତୋ ପରି ନାହିଁ ଇତର ରେ ସଙ୍ଗିନୀ । ଘୋଷା ।

ପୀରତି ପାଳିବା ପଣେ ତୋତେ ଅବା
ହେବୁ ତୁହି ପଟାନ୍ତର ରେ । ୧ ।

ନବନୀତୁ ଜିଣି ମୃଦୁଳତା ଆଣି
ଥାଏ ତୋହର ଅନ୍ତର ରେ । ୨ ।

ମୋ ମନ ରଖିବା ସ୍ନେହ ପରଖିବା
ପାଇଁ ହେଉ ତରତର ରେ । ୩ ।

ଜାଣିଲେ ମୋ ଦୁଃଖ ଅଳପ ବିମୁଖ
ଭଜି ତୁ ହେଉ କାତର ରେ । ୪ ।

ଦେଲା କେ ଲଗାଇ ପୀରତି ଭଙ୍ଗାଇ
ତେଡ଼େ ସୁମଧୁର ତର ରେ । ୫ ।

ଭାଷେ ସ୍ୱର୍ଣ୍ଣପୁର ଯୁବରାଜ ସୁର
ମୋହୀ ତୁ ଗତି ମାତର ରେ । ୬ ।