(ବୀରମିତ୍ରୋଦୟ— ରାଗ ମଲ୍ଲାର, ତାଳ ସରିମାନ)
ସଙ୍ଗିନୀ ରେ ବରଷା ଆସିଲା
ମାନିନୀଜନ ମାନସୁ ମାନ ଦ୍ରୁମ ଭାସିଲା । ଘୋଷା ।
ନୀରନ୍ଧ୍ର ନୀରଦମାଳା ଆକାଶରେ ମିଶିଲା
ନିରନ୍ତର ଝରଝର ନୀର ସେ ବରଷିଲା
(ପଡ଼ି)
ଅଟକି କ୍ଷଣକାନ୍ତି ଝଟଝଟ ଝଟକେ
ଦିଶେ କଷ ପାଷାଣେ ସ୍ୱର୍ଣ୍ଣରେଖା ଛଟକେ
ମକମକ ଶାମୁକ ଭେକ ଡାହୁକ ଡାକେ
ଝିଲ୍ଲୀ ଝଂକୃତ ସ୍ୱନେ ରେ ଆରେ ମିଳି ଧୃତି ନାଶିଲା । ୧ ।
ଶିଖରୀ ଶିଖରେ କେକୀ ନୃତ୍ୟ ରଙ୍ଗେ ରସିଲା
ଧରି ମୁଦିର କଟୀର କି ସୁନ୍ଦର ଦିଶିଲା
(ପଡ଼ି)
ଫୁଟିଲେ ମାଳମାଳ ମାଳତୀ ଫୁଲ ବନେ
ଉଡ଼ିଗଲା ସୌରଭ ଦିଗନ୍ତକୁ ପବନେ
ମଣ୍ଡି ହେଲା ଅବନୀ ପ୍ରଫୁଲ୍ଲ ନୀପବନେ
ନଭେ ମିଳିନ୍ଦ ବୃନ୍ଦରେ ଆରେ ଭ୍ରମି ଚିତ୍ତ ତୋଷିଲା । ୩ ।
ଧରାଧର ତୁଙ୍ଗ ଶୃଙ୍ଗେ ସ୍ତନିତ ପ୍ରକାଶିଲା
କାମ ବିଜୟ ନାଗରା ପରା ସେ ଆଭାଷିଲା
(ପଡ଼ି)
ଶୁଣି ତା ବିରହିଣୀ ରହିଲେ ମୋହ ଭଜି
ଭାଜିଲା ଦମ୍ଭକୁମ୍ଭ କୁଳିଶ ଦଣ୍ଡ ବାଜି
ରହି ଝଞ୍ଜା ମରୁତ ବହିଲା ତର୍ଜି ତର୍ଜି
ସମ୍ବର୍ତ୍ତ ନୁହେଁ ତୁମ୍ଭରେ ଆରେ ସମ୍ବର୍ତ୍ତ ଏ ଆସିଲା । ୪ ।
ବୀରମିତ୍ରୋଦୟ ସିଂହଦେବ ଗୀତେ ଭାଷିଲା
ଏ କାଳେ ପ୍ରକୃତି ସତୀ ଅତି ଚାରୁ ଦିଶିଲା
(ପଡ଼ି)
ଚାଲିଲେ ତରତର ତରଙ୍ଗିଣୀ ନିକର
ତରଙ୍ଗ ରଙ୍ଗରେ ସେ ହେଲେ ଅତି ସୁନ୍ଦର
ଦରହାସୀଏ ଚାହିଁ କଲେ ବହୁ ଆଦର
ପାତକୀ ଚାତକର ରେ ଆରେ ଆଶା ତୃଷା ନାଶିଲା । ୫ ।