(ଦ୍ୱିଜ ଲୋକନାଥ)
ନ ରହିବୁ ଆମ୍ଭେମାନେ ଏ ଗୋପପୁର
ନିତି ଜୀବିକା ବୁଡ଼ାଏ ତୋର କୁମର । ଘୋଷା ।
ଅନୀତି କରଇ ଯେତେ ତା ଅବା ସହିବୁ କେତେ
କୁଳ ଦେବତା ହୋଇଣ ପଶେ ଗମ୍ଭୀର । ୧ ।
ମନ୍ଦିରେ ଯାଇ ପଶଇ ସର ଲବଣୀ ଭୁଞ୍ଜଇ
କହିବାକୁ ମୁଖୁଁ ନ ଆସଇ ଉତ୍ତର । ୨ ।
ଜାଣଇ କି କି ମନ୍ତର ମତି ହରଇ ଆମ୍ଭର
ପୁର ଜନେ ଭରଛନା ଆଉ ଅପାର । ୩ ।
କ୍ଷଣେ ଗୋପେ ନ ରହିବୁଁ ମଧୁ ଭୁବନକୁ ଯିବୁ
ଏକା ହୋଇଣ ସମ୍ଭାଳ ଏ ଘର ଦ୍ୱାର । ୪ ।
ଏକୁ ଆରେକ କହିଲେ ଦ୍ୱିଜ ଲୋକନାଥ ବୋଲେ
ଚିତ୍ତ ମତି ରହୁ ରାମକୃଷ୍ଣ ପୟର । ୫ ।