Micha Kahanti Tumbha Agare Go Maa

ମିଛ କହନ୍ତି ତୁମ୍ଭ ଆଗରେ ଗୋ ମା
(Dwija Lokanatha)
(ଦ୍ୱିଜ ଲୋକନାଥ)

ମିଛ କହନ୍ତି ତୁମ୍ଭ ଆଗରେ ଗୋ ମା
ଖେଳୁ ଯେ ଥାଇ ମୁହିଁ ଦାଣ୍ଡରେ ଗୋ ମା । ଘୋଷା ।

ମୋତେ ଦେଖି ନ ପାରନ୍ତି
ଖଚ ମିଛ ସେ କହନ୍ତି
ବାଳ କୁମରଙ୍କୁ ଯେ ପଚାର ଗୋ ମା । ୧ ।

ଗୃହରେ ମୁଁ ବସିଥାଇ
କା ସଙ୍ଗରେ ନ ଖେଳଇ
ଛାଟ ଦେଖି ମୋ ଦେହ ଅଧୀର ଗୋ ମା । ୨ ।

ତାଙ୍କ କଥା ସତ ମଣି
ଧାଉଁଛୁ ତୁ ଛାଟ ଘେନି
ତୁଣ୍ଡ ବିସ୍ତାରି ଦେଖ ବେଗର ଗୋ ମା । ୩ ।

ଛାଟ ତୁ ପକାଅ ତଳେ
ତୁଣ୍ଡ ମୋର ଦେଖ ଡୋଳେ
କାନ୍ଦି କହନ୍ତି ମାତା ଛାମୁର ଗୋ ମା । ୪ ।

କହଇ ଯେ ଲୋକନାଥ
ଏ ତ ବଡ଼ ଆଚମ୍ବିତ
ତୁମ୍ଭ ମନକୁ ତୁମ୍ଭେ ବିଚାର ଗୋ ମା । ୫ ।