(ଦ୍ୱିଜ ଲୋକନାଥ)
ସଖୀ ଗୋ ଅବିବେକ ନନ୍ଦ ଯୁବତୀ
କେମନ୍ତେ ବାନ୍ଧିଲା ସତ ଗୋ ବଳିଲା
ପଥର କରିଥିଲା ଛାତିକି । ଘୋଷା ।
ବଡ଼ ଘର ବୋଲି କିଛି ନ ବୋଲିବା
ମନୁଷ୍ୟ କରେ ଏ ରୀତି କି । ୧ ।
ଦୁର୍ଗା ଗୋ ରଖିଲା ମାଡ଼ି ନ ପଡ଼ିଲା
ସରନ୍ତା ନନ୍ଦର ସମ୍ପତ୍ତି । ୨ ।
ଦଇବ ବିଧାତା କି ବୁଝାମଣା ଗୋ
ଏ ପୁଅ ନ କଲା ନୃପତି । ୩ ।
ଗଉଡ଼ ଗୋପାଳେ ଢମାଳି ଅଟନ୍ତି
ବନେ ବୁଲନ୍ତି ଦିବାରାତି । ୪ ।
ଚାହାଁନ୍ତେ ଗୋ ସଖୀ ଶ୍ରୀକୃଷ୍ଣ ବଦନ
ପାଦ ନ ଚଳଇ ଏଣିକି । ୫ ।
ବୃକ୍ଷର ଉହାଡ଼େ ପ୍ରଭାତ ଆଦିତ୍ୟ
ବିରାଜି ଦିଶୁଛି ଜ୍ୟୋତିକି । ୬ ।
କୃଷ୍ଣଙ୍କୁ ଗୋପାଳେ କୋଳ ଯେ କରିଣ
କୋଟି ବନ୍ଧନକୁ ଫେଡ଼ନ୍ତି । ୭ ।
ଲୋକନାଥ କହେ ଜନନୀ ବାନ୍ଧିଲା
ଗୋପାଳ ପୋଏ କହୁଛନ୍ତି । ୮ ।