(ଦ୍ୱିଜ ଲୋକନାଥ)
କୋଳି ମୋ କୋଳି କିଏ ଖାଇବ
ମନ ବଳି ଧନ କଉଡ଼ି ଦେବ । ଘୋଷା ।
କେହୁ ଖାଇବ ମୋ କଣ୍ଟାଇ କୋଳି
ଠୋଲା ଠୋଲା କରି ଆଣିଛି ତୋଳି । ୧ ।
କେହୁ ଖାଇବ ମୋ କରଣ୍ଡା କୋଳି
ପଇସା ନଥିଲେ ଦେବି ମୁଁ କାଳି । ୨ ।
ପାଚିଲା କମଳା କେହୁ ଖାଇବ
ବରଷକୁ ତାର ବଳ ହୋଇବ । ୩ ।
କେହୁ ଖାଇବ ମୋ ପାଚିଲା ତାଳ
କଉଡ଼ି ନଥିଲେ ଉଧାର କର । ୪ ।
ସପୁରୀ ପଣସ କେହୁ ଖାଇବ
ଦୁଇ ଦିନ ଯାଏ ଦେହ ବାସିବ । ୫ ।
କେହୁ ଖାଇବ ମୋ ଆଙ୍କୁ ନିରାଶ
କଉଡ଼ି ଘେନିଣ ବହନ ଆସ । ୬ ।
ଏ କୋଳି ସୁଆଦ ଯେହୁ ଜାଣିବ
ଉଧାର କରିଣ ସେହୁ ଖାଇବ । ୭ ।
ଭଣେ ଲୋକନାଥ ହୋଇ ହରଷ
କଉଡ଼ି ଘେନିଣ ବହନ ଆସ । ୮ ।