Are Bapa Gobinda

ଆରେ ବାପ ଗୋବିନ୍ଦ
(Dwija LokanathaTripata)
(ଦ୍ୱିଜ ଲୋକନାଥତ୍ରିପଟା)

ଆରେ ବାପ ଗୋବିନ୍ଦ
ଶୁଖିଅଛି ତୋର ମୁଖଚନ୍ଦ୍ର ରେ । ଘୋଷା ।

ଖାଅରେ ମୋର ଜୀବନ ଲବଣୀ ସର ବହନ
ଆରେ କେତେ କଷ୍ଟ ପାଇଲୁ ଶରୀର ରେ । ୧ ।

ମାଗୋ ନ ଖାଇବି ମାଗୋ ମୁହିଁ ବାନ୍ଧିଲୁ ମୋତେ କିମ୍ପାଇଁ
ଛାର ଏହି ଲବଣୀର ପାଇଁ ଗୋ ଜନନୀ
ନ ଖାଇବି ତୋ ସର ଲବଣୀ । ୨ ।

ନ ଖାଇ କିମ୍ପା ଲବଣୀ ମୋ ଶପଥ ତୋତେ ପୁଣି
ଆରେ ମୋର ନିଧନର ଧନ ତୁହିରେ ଗୋବିନ୍ଦ । ୩ ।

ମାଗୋ ଦେଖ ଏ ଗୋପ ନଗରେ ପୁତ୍ର ନାହିଁ କାହା ଘରେ
ଏତେ ଦଣ୍ଡ ଦିଏ କାହା ମାତ ଗୋ ଜନନୀ
ନ ଖାଇବି ତୋ ସର ଲବଣୀ । ୪ ।

ଆରେ ପିତାଙ୍କ ଶପଥ ତୋତେ ଲବଣୀ ଖାଅ ତୁରିତେ
ନ ବାନ୍ଧିବି ଆଉ ଦିନେ ତୋତେ ରେ ଗୋବିନ୍ଦ । ୫ ।

ମାଗୋ ଦେଖ ଏ ମୋର ଶରୀର ବୃକ୍ଷ ପଡ଼ି ନାରଖାର
ଜୀବନେ ମୋ ଥିଲା କି ଭରସା ଗୋ ଜନନୀ । ୬ ।

ଆରେ ମରିଯାଇ କିରେ ଧନ ଲବଣୀ ଖାଅ ବହନ
ତୋ ଅରିଷ୍ଟି ହେଉ ମୋର ଶିରେ ରେ ଗୋବିନ୍ଦ । ୭ ।

ମାଗୋ ଭାଇ ବଳରାମ ଛନ୍ତି ସେ ତ ଲବଣୀ ନ ଖାନ୍ତି
ମୋତେ କିମ୍ପା ଦେଉ ତୁ ଶପଥ ଗୋ ଜନନୀ । ୮ ।

ଆରେ ରାମ ଖାଉଛି ଲବଣୀରେ ଖାଅରେ ଗୋବିନ୍ଦ ପୁଣି ରେ
ସୁଖେ ଶୟନ କର ପଲଙ୍କରେ ଗୋବିନ୍ଦ
ଶୁଖିଅଛି ତୋର ମୁଖଚନ୍ଦ୍ର ରେ । ୯ ।

ନ କହ ଗୋ ମାତ ତୁହି ମୋ ଦେହ ବ୍ୟଥା କରଇ
ମାଗୋ ଯାମଳାର ମହାଭାଗ ପାଇ ଗୋ ଜନନୀ
ନ ଖାଇବି ତୋହର ଲବଣୀ । ୧୦ ।

ଆରେ ଦ୍ୱିଜ ଲୋକନାଥ କହି ରାଣୀ ବହୁତ ବୁଝାଇ
ଲବଣୀ ଭୁଞ୍ଜନ୍ତି ଅତି ସ୍ନେହେ ହେ ସୁଜନେ
ଶୁଣ ଶୁଣ ଚରିତ୍ର ଶ୍ରବଣେ । ୧୧ ।