Radha Name Murali Baja Baraja Raja

ରାଧା ନାମେ ମୁରଲୀ ବାଜା ବରଜ ରାଜା
(— Raga Sankarabharana, Tala Ekatali)
(— ରାଗ ଶଙ୍କରାଭରଣ, ତାଳ ଏକତାଳି)

ରାଧା ନାମେ ମୁରଲୀ ବାଜା ବରଜ ରାଜା
ବ୍ରଜ ବଜାରେ ନ ବଜା ରେ । ଘୋଷା ।

ସେ ସିନା କୁଳନାରୀ ମାନ ମହତ ସାରି
ତାରେ ତୁ ନ ଦିଅ ଲଜ୍ଜା ରେ
(ପଡ଼ି)
ସରଳା ଅବଳା ସେ ଛଳାଛଳି ନ ଆସେ
ବନ୍ଦୀ କଲା ହରଷେ ବାନ୍ଧି ପୀରତି ଫାଶେ
ଜାଣି ଜାଣି ଶ୍ୟାମ ନିଜ ବିବେକ ନ ହଜା ରେ । ୧ ।

ପ୍ରେମ ପୁଲିନ ହଂସ ନ ଡରୁ ଭୋଜବଂଶ
ଅବତଂସ କଂସ ରଜା ରେ
(ପଡ଼ି)
ତୁ ତ ଚରାଉ ଧେନୁ ଗେଲେ ବଜାଉ ବେଣୁ
ବରଜବର କାହ୍ନା ଧରାଇ ନେବ ବନୁ
ହେବ ସନ୍ଧ୍ୟା ଯିବ ଶ୍ୟାମ ବାହାରି ତୋ ମଜା ରେ । ୨ ।

ଉଚିତରେ ମୋ ସହି କିଛି ତ ନ ଜାଣଇ
ସୁକୁମାରୀ ଉନ୍ନତ ଉରଜା ରେ
(ପଡ଼ି)
ଶଠ ମୁରଲୀପାଣି ନଟନାଗର ମଣି
ଶିରେ ଯୋଡ଼ୁଛି ପାଣି ବାରେ ଘେନ ମୋ ବାଣୀ
ଜାଣୁ ଜାଣୁ ତାର ପ୍ରୀତି ସରିତେ ନ ହଜା ରେ । ୩ ।