(ରାଧାମାଧବ— ରାଗ ନଟ, ତାଳ ତ୍ରିପଟା)
ସେ ସିନା ବସିବ ରୁଷି ରେ ସଜନୀ
ଶିଖଣ୍ଡଚୂଳିଆ ନୟନ କୁନ୍ତରେ
ଥରେ ନୋହିଥିଲେ ଭୁଷି ରେ । ଘୋଷା ।
ତରଙ୍ଗିଣୀ ତଟ ସରଣୀରେ ଭେଟ
ରମଣୀ ଯେ ହୋଇ ନାହିଁ
ନୀଳ ବାରିବାହ ଦଳନ ବିଗ୍ରହ
ଅଳପ ନଥିଲେ ଚାହିଁ ରେ । ୧ ।
ରସିକା ବୃନ୍ଦରେ ବସି ଆନନ୍ଦରେ
ରସି ଶ୍ୟାମ ପ୍ରେମ ଗୁଣ
ବସୁଧାରେ ଥିବ କେବଳ ହୋଇବ
ପଶୁରୁ ହେଲେ ଅଜାଣ ରେ । ୨ ।
ବସାଇବା ପାଶେ ରସାଇଣ ରସେ
ବସାଇ ଉତ୍ସୁକ ମନେ
ପୀଡ଼ଇ ଓଷ୍ଠକୁ ଜଡ଼ାଇ ଅଙ୍ଗକୁ
ଭିଡ଼ାଇ ନ ଥିଲି ଦିନେ ରେ । ୩ ।
ବସନଲୁଟିଆ ରାସ ବିନୋଦିଆ
ଭାଷରେ ନ ରସିଥିଲେ
ଦୂରରୁ ଦୁର୍ଲ୍ଲଭ ମୁରଲୀର ରବ
ଶ୍ରବଣ ଯେ କରିଥିଲେ ରେ । ୪ ।
ନରକୁଳ ଇନ୍ଦ୍ର ପୂର୍ଣ୍ଣ ରାକାଚନ୍ଦ୍ର
ଶ୍ରୀ ରାଧାମାଧବ ଭଣି
ସ୍ମର ତରୁଆର ଧାରାରେ ଶରୀର
ଥରେ ନୋହିଥିବ ହାଣି ରେ । ୫ ।