(ରଘୁନାଥ— ରାଗ ପୁରୀ, ତାଳ ଅଟ୍ଟତାଳ)
ସଙ୍ଗୀତ ରାମାୟଣ – ଲହରୀ
ବାମନୟନୀ ଶୁଣ ଗୋ ଏ ଚରିତକୁ
କାମଦାୟିନୀ ଶୁଣ ଗୋ
କାମ ବିଜିତ ଅଭିରାମ ରାମ ଗୁଣ
ଧାମ ଜଗତ ଜନେ କ୍ଷେମ କର ପ୍ରେମରେ । ଘୋଷା ।
ବାଟ ନ ପାଇ ବିଭୀଷଣ ଲକ୍ଷ୍ମଣ
ବାନର ରୁକ୍ଷ ଜଗିଥିଲେ
ନିଛାଟରେ ମଉନେ ବସିଥିଲେ
ଦୁଆର କବାଟ ଫିଟାଉ ସେ ଚାହିଁଲେ
ପୁରକୁ ବାଟ ମିଳୁ ବେଗେ ଧାଇଁଲେ
ମନର ଉଚ୍ଚାଟରେ କେହି କେହି ଡେଇଁଲେ
ଥାଟ ଯାଇ ରାବଣ ଚାଟ ପୁର ବେଢ଼ିଲେ
ଭେଟ ପାଇ ସେ ନିରାଟରେ ଯୁଝିଲେ । ୧ ।
ମେଘନାଦ ଅତି ନିର୍ଦ୍ଦୟ ମାନସେ
ରାଘବ ଭ୍ରାତକୁ ଚାହିଁଲା
ତହୁଁ କପି ଓଘକୁ କୋପେ ବିଲୋକିଲା
ତାହାଙ୍କୁ ବାଘ ପରାଏ ସେ ମିଶିଲା
କ୍କଡ଼ା ମେଘ ପରି ଶର ବରଷିଲା
କାହାକୁ ମାଘ ପରାଏ କମ୍ପାଇଲା
ମୋ ଘରେ ପଶି ଏବେ ଶ୍ଳାଘରେ ବଞ୍ଚିବ କି
ଲାଘବ କରିବି ନିଦାଘ ସରୁ ବୋଇଲା । ୨ ।
ସାରିବାକୁ ତୁମ୍ଭର ପ୍ରାଣକୁ
ଟାଣରେ ମାରିଥିଲି ତହିଁରୁ ବଞ୍ଚିଲା
ତହିଁକି ପାରି ହେବା ଉପାୟ
ସଞ୍ଚିଲେ ଏବେ ହେ ନାରୀ ଲୋଭକୁ ନ ମୁଞ୍ଚିଲା
ତେବେହେ ଫେରିଯିବାକୁ ନ ପାଞ୍ଚିଲା
ଶରରେ ବିଦାରି ହେଲେହେଁ ନ ଘୁଞ୍ଚିଲା
ମାରିବି ତୁମ୍ଭଙ୍କୁ ସଂହାରିବି ଏବେ ତ ମୁଁ
ବାରିଜ ସମ୍ଭବ ତାରି ନ ପାରିବ । ୩ ।
ରାମଭ୍ରାତ ତହିଁ ରାବଣୀ ବାଣୀ ଶୁଣି
ତାମସରେ ବୋଇଲେ ତହିଁକି
ଆରେ ଆରେ ପାମର କହୁ କି ବଡ଼ାଇ କି
ଆଉ ତୋର କ୍ଷେମ ହୋଇବ କି ଏଣିକି
ମୋର ନାମ ଲକ୍ଷ୍ମଣ ଜାଣିନାହୁଁ କି
ରଣେ ତୋର ନାମ ଲୁଚାଇ ନ ଯିବକି
ଏମନ୍ତ ବୋଲି ତହିଁ ଯେମନ୍ତ ସେ ପାରଇ
ତା ମନେ ଥିଲେ ପରି ଭୀମ ରଣକୁ ବିହି । ୪ ।
ଶାଳ ତରୁ ଧରି କେ ଆଞ୍ଚପାଞ୍ଚରେ
ବିଶାଳ ରାକ୍ଷସଙ୍କୁ ନାଶିଲା
କେହି ଶାଳ ତରୁକୁ ଧରି ମାଇଲା
କେହି ଶୈଳ ପ୍ରହାରକୁ ବିହିଲା
କେହି କାଳଦେବତା ପରି ଦିଶିଲା
କେହି ମେଳ ହୋଇ କେ ଶର ପେଷିଲା
ବାଳ ଧରିକେ କରବାଳରେ ହାଣିଲା
ଗୋଳ ଯୁଦ୍ଧରେ କାହା କାହା କାଳ ପୂରିଲା । ୫ ।
ବାସବାରି କୋପ ତା ପରେ
ବାଡ଼ବ ବାଣକୁ ତ୍ରାସରେ ବିନ୍ଧିଲା
ତହୁଁ ବାତ ଆଶୁଗ ଲକ୍ଷ୍ମଣର ବାଜିଲା
ଅଗ୍ନିକି ନିରାଶରେ ସିନ୍ଧୁରେ ପକାଇଲା
ତହୁଁ ବଡ଼ ଦ୍ୱେଷରେ ଗିରି ଶର ମାଇଲା
ଆସୁ ସେ ଅକ୍ଳେଶରେ ବଜ୍ର ଶର ନାଶିଲା
ରୋଷରେ ଦୁହେଁ ବାଣ ପେଷନ୍ତେ ପୁଣ ପୁଣ
କିଂଶୁକ ଫୁଲ ତୁଲ ଦିଶିଲେ ଦୁଇ ଜଣ । ୬ ।
ବାତ ତନୟ ତହିଁ ବ୍ୟୋମରେ ରହି ଦୁଇ
ହାତରେ ଗିରି ଧରି ଫିଙ୍ଗିଲା
ତାର ସୂତ ସହିତେ ରଥ ଭାଙ୍ଗିଲା
ବାଳିଜାତ ତ ସେ ବେଗେ ଧାଇଁଲା
ଦୃଢ଼ରେ ନିର୍ଘାତରେ ବିଧାଏ ପ୍ରହାରିଲା
ଶର ଘାତରେ ଦେହ ଫୁଟୁ ବୋଇଲା
ଏତକ ବୁଝ ବଳ ସାଥରେ ରହି ଜୁଝି
ନୂତନ ରଥ ଚଢ଼ିଲେ ତ ବୁଝିବି ହେଜ । ୭ ।
ରାବଣ ତନୟ ବିନୟେ କହୁ ବାଣୀ
ତା ଭାବକୁ ବିଭୀଷଣ ଜାଣିଲା
ଲକ୍ଷ୍ମଣଙ୍କୁ ଏ ବାଟେ ଯିବ ବୋଲି ଭଣିଲା
ତରକି ସ୍ୱଭାବକୁ ଇନ୍ଦ୍ରାରି ଜିଜ୍ଞାସିଲା
ପୁଣି ସେ ବଡ଼ ରଥ ପରେ ବସିଲା
ବୀର ଭଲ ଠାବକୁ ତିନି ବାଣ ବିନ୍ଧିଲା
ହାବଡ଼େ ସେ ଶର ପ୍ରବଳେ ରକ୍ତଧାର
ଜବରେ ସେ ଫୁତ୍କାରି ବୋଲୁ ଟେକ ତାହାର । ୮ ।
ଖଣ୍ଡକ ଅନଳ ପ୍ରବଳେ ଜାଳିବାକୁ
ପ୍ରଚଣ୍ଡ ବାତ ସେ ବିଭୀଷଣ
ବୋଲୁ ଦଣ୍ଡକ ସହ ହେ ବିଭୀଷଣ
ଶୁଣି ଏ ବିଖଣ୍ଡ ବାଣୀକି ସେ ଲକ୍ଷ୍ମଣ
ତହୁଁ ସେ କୋଦଣ୍ଡେ ଯୋଖି ବାବଲ ବାଣ
ବଡ଼ ଚାଣ୍ଡରେ ଛାଡ଼ନ୍ତେ ଓଟାରିଣ
କାଣ୍ଡ ଯାଇ ପଡ଼ିଲା ମୁଣ୍ଡ ତାର ଛିଡ଼ିଲା
ଦଣ୍ଡକ ଭିତରେ ଉଦ୍ଦଣ୍ଡ ଇନ୍ଦ୍ରାରି ମଲା । ୯ ।
ମାନସ ଅତିଶୟ ତୋଷକୁ ଲଭି
ହନୁମାନ ତାଣ୍ଡବକୁ ବିହିଲେ
ଅନୁମାନ ମାନସେ ନ ବହିଲେ
ରଘୁପତି କାନରେ କହିବାକୁ ଧାଇଁଲେ
ବୀର ସାତ ଜାନକୀବରକୁ ଓଗାଳିଲେ
ଅଭିମାନରେ କଙ୍କାଦି ଯୁଝିଲେ
ଦାନବ ସାତଜଣ ଯାନକୁ ଚଢ଼ି ପୁଣ
ତାହା ନିବାରି ରାମ ବାତସୂନୁ ସ୍କନ୍ଧେ ବସିଣ । ୧୦ ।
ବାଳୀତନୟ ସ୍କନ୍ଧେ ବସି ସଉମିତ୍ରୀ
ରଣ କେଳି ବଢ଼ାଇ ବାହୁଡ଼ିଲେ
ସେ ଯହୁଁ ହେଜି ଅସ୍ତ ହେବା ଜାଣିଲେ
ନିକଟରେ ମିଳି ଶ୍ରୀରାମଙ୍କୁ ଭେଟିଲେ
ଗୁଣଶାଳୀ ଇନ୍ଦ୍ରାରି ବଧ ଶୁଣିଲେ
ଶିର ଚାଳି କଙ୍କାଦି ବଧ ଶୁଣିଲେ
ବଳ ସଙ୍ଗରେ ସୁବେଳରେ ପ୍ରବେଶିଲେ
ଭାଳଇ ରଘୁନାଥ କାଳ ଯିବାକୁ ଭଲେ । ୧୧ ।