Brajaraja Tanaya Guna Gaa Re

ବ୍ରଜରାଜ ତନୟ ଗୁଣ ଗାଆ ରେ
(Gourachandra GajapatiEkatali)
(ଗୌରଚନ୍ଦ୍ର ଗଜପତିଏକତାଳି)

ବ୍ରଜରାଜ ତନୟ ଗୁଣ ଗାଆ ରେ । ଘୋଷା ।

କୋଟି କନ୍ଦର୍ପ ଦଳା ସାଧ୍ୱୀଙ୍କ ଧୃତି ଟଳା
ଅଟଇ ମୁଖ କଳା
ଆଭୀର ନାରୀଙ୍କ ପ୍ରମୋଦ ପସରା । ୧ ।

ବିଡ଼ୋଜା ବଡ଼ପଣ କରିଣ ବିସର୍ଜ୍ଜନ
ସେବିଲା ସେ ଚରଣ
ଗୋପରେ ଗୋବିନ୍ଦ ନାମକୁ ସ୍ମରି ରେ । ୨ ।

ବତ୍ସା ବାଳକଗଣ ବ୍ରହ୍ମା କଲା ହରଣ
ଅନ୍ତେ ଲଭିଣ ଜ୍ଞାନ
ଶ୍ରୀହରି ପାଦରେ ଭଜିଲା ମୋଦରେ । ୩ ।

ପାପମୟ ସଂସାର ବିଷୟ କରି ଦୂର
ଚିତ୍ତକୁ କର ସ୍ଥିର
ଶ୍ରୀ ବୃନ୍ଦାବନରେ କରିଣ ବାସ ରେ । ୪ ।

ଭବସାଗର ଭେଳା ଅଟନ୍ତି ନନ୍ଦବଳା
ତା ନାମାବଳୀ ମାଳା
ସାଦରେ ଧରିଣ ହୃଦୟ ଭିତରେ । ୫ ।

ଶ୍ରୀ ଗୌରଚନ୍ଦ୍ର ଦେବ ବୋଲନ୍ତି ଛାଡ଼ି ଦମ୍ଭ
ଭଜି ରାଧାବଲ୍ଲଭ
ରାଜୀବ ପଦରେ ଆନନ୍ଦ ମନରେ । ୬ ।