(ଗୌରଚନ୍ଦ୍ର ଗଜପତି— ରାଗ ବିହାଗଡ଼ା, ତାଳ ଆଦିତାଳ)
ମୋ ରାଣ ଅଛିଟି ତୋତେ ଲୋକହସା କର ନାହିଁ
ବସନ ପ୍ରସାରି ମାଗି ଘେନୁଛି ପରାଣସହୀ । ଘୋଷା ।
ଗଙ୍ଗାରୁ ବଳି ଗଭୀର ବୋଲି ହୃଦୟ ତୋହର
ନ ଛପାଇ କହିଥିଲି ମନର କଥା ଫିଟାଇ । ୧ ।
ତୁଚ୍ଛାକୁ ଲୋକେ ତ ନିତି କୁତ୍ସା ମୋତେ କରୁଥାନ୍ତି
ଜଣା ପଡ଼ିଯିବ ଯଦି ମହତ ନେବେ ଛଡ଼ାଇ । ୨ ।
ଫୁଟିଲା ଫୁଲର ବାସ ହୋଇଯିବ ପରକାଶ
ପହିଲୁ ସଙ୍ଗିନୀ ଏଣୁ ଏକା ଡରୁଥାଇ । ୩ ।
ଜାଣିବା ନ ଜାଣି ମୁଁ ତ ହୁଡ଼ିଦେଇ ଅଛି ପଥ
ଗୌରଚନ୍ଦ୍ର ଗଜପତି ସ୍ନେହ ଭାବେ ଭୁଲିଯାଇ । ୪ ।