Rase Jiba Para Re Ali

ରାସେ ଯିବା ପରା ରେ ଆଳୀ
(Gourachandra Gajapati— Raga Puri, Tala Ekatali)
(ଗୌରଚନ୍ଦ୍ର ଗଜପତି— ରାଗ ପୁରୀ, ତାଳ ଏକତାଳି)

ରାସେ ଯିବା ପରା ରେ ଆଳୀ
ଶୁଭିଲାନି ଘନଘନ ମୁରଲୀ । ଘୋଷା ।

ଅରୁଣିମା ଉଦୟାଚଳ
ମଳିନିମା ନକ୍ଷତ୍ର ଜାଳ
ଅତି ସେ ହରଷ ପାଇ ଔଷଧୀଶ
କଲେନି ପ୍ରକାଶ କିରଣ ପାଳି । ୧ ।

ନିଶବଦ ବ୍ରଜ ଭୁବନ
ଉଚ୍ଛୁଳିତ ଶ୍ରୀ ବୃନ୍ଦାବନ
ନାହିଁଟି ଚେତନ ବ୍ରଜବାସୀ ଜନ
କଲେନି ଶୟନ ହୋଇ ବାଉଳି । ୨ ।

ବିକଶିତ ମଲ୍ଲୀ ମାଳତୀ
ହୋଇବେନି ଜାତି ସେବତୀ
ଆଭୀର ନାଗରୀ ଭୁଜ ଧରାଧରି
ହୋଇ ନାଚୁଥିବା ବଜାଇ ତାଳି । ୩ ।

ସାରୀ ଶୁକ ପିକ ମୟୂର
ଗାନ ମଧୁକର ଝଙ୍କାର
ଶୁଣି ନାନା ରଙ୍ଗେ ଗାନ କରି ତୁଙ୍ଗେ
ନୃତ୍ୟ ଶ୍ୟାମ ସଙ୍ଗେ କରିବା ମିଳି । ୪ ।

ଦୂତୀ ବାଣୀ ଶ୍ରୀମତୀ ଶୁଣି
ଭେଟିଲେ ଚଳି ବେନୁପାଣି
ଗୌରଚନ୍ଦ୍ର ଗଜପତି ହୃଷ୍ଟ ମତି
ମାଗନ୍ତି ଯୁଗଳ ଚରଣେ ଧୂଳି । ୫ ।