Kahaku Kahibi Kisa Re

କାହାକୁ କହିବି କିସ ରେ
(Gourachandra Gajapati— Raga Ramakeri, Tala Aditala)
(ଗୌରଚନ୍ଦ୍ର ଗଜପତି— ରାଗ ରାମକେରୀ, ତାଳ ଆଦିତାଳ)

କାହାକୁ କହିବି କିସ ରେ ସଙ୍ଗାତ
ଯାହାକୁ ମୋହର କରି ଘେନିଥିଲି
ତାହାକୁ ହୋଇଲି ବିଷ ରେ । ଘୋଷା ।

ଆସିବେ ସେ ବୋଲି ଚାହିଁ ବସିଥିଲି
ହୋଇ ଅଙ୍ଗେ ଦିବ୍ୟ ବେଶ
ରହିଲେ ସେ କାହିଁ ରାତିକି ପୁଆଇ
ଦେଇ ମୋତେ କାମ ତ୍ରାସ ରେ । ୧ ।

ପ୍ରାତେ ଆସି ଯେତେ ରୂପେ ମୋ ଅଗ୍ରତେ
ଭାଷିଲେ ବିନୟମାନ
ପ୍ରତେ ତା କିଞ୍ଚିତେ ନ ଘେନି ମୁଁ ଚିତ୍ତେ
ଅଧିକେ କଲି ଗୁମାନ ରେ । ୨ ।

ସରାଗରେ ପୁଣି ମୋତିହାର ଆଣି
ମୋ ଆଗରେ ଯାଚୁଥିଲେ
ବିରାଗ ମୁଁ ବହି ଅବହେଳେ ତହିଁ
ଦୃଷ୍ଟିକି ନ ଦେଲି ଭଲେ ରେ । ୩ ।

ପଟୁବର ବହୁ ଆରତରେ ତହୁଁ
ଲୋଟିଲେହେଁ ପାଦ ତଳେ
କଟୁ ପ୍ରାଏ ମଣି କପଟରେ ଗଣି
ଛାଟିଦେଲି ସେହି କାଳେ ରେ । ୪ ।

ନିଜ ସଖୀ ବୋଧ ନ ରଖିଲି ମଧ୍ୟ
ବ୍ରଜରାଜ ଗଲେ ଲାଜେ
ଗଜପତି ଗୌରଚନ୍ଦ୍ର କହେ ଆଜ
କରିବେ ଅବଶ୍ୟ ବିଜେ ରେ । ୫ ।